ପୋଲିସ୍ ବନାମ ପୋଲିସ୍ ! ବିଚାରପତିଙ୍କ ଘରେ ପଶିଥିବା ସିବିଆଇ ଅଧିକାରୀଙ୍କୁ ଜେରା କରିପାରେ ଓଡ଼ିଶା ପୋଲିସ୍

40

କନକ ବ୍ୟୁରୋ : ଓଡିଶା ହାଇକୋର୍ଟ ବିଚାରପତିଙ୍କ ଘରେ ରାତି ଅଧରେ ସିବିଆଇ ପଶିବା ପରେ ସିବିଆଇ ଏବଂ ଓଡିଶା ପୋଲିସ ମଧ୍ୟରେ ଆରମ୍ଭ ହୋଇଯାଇଛି ଛକାପଂଝା । ସିବିଆଇ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିଛି ଓଡିଶା ପୋଲିସ । ବିଚାରପତିଙ୍କ ଘରେ ପଶିଥିବା ସିବିଆଇ ଅଧିକାରୀଙ୍କ ତାଲିକା ମାଗିଲା ପୋଲିସ । କାହା ନେତୃତ୍ୱରେ ଆସିଥିଲା ଟିମ୍? ଟିମରେ ଥିବା ଅଧିକାରୀ କେଉଁ ରାଙ୍କର? ଏବଂ ସମସ୍ତଙ୍କ ନାଁ ଓ ଫୋନ୍ ନମ୍ବର ଦେବାକୁ ସିବିଆଇକୁ ଚିଠି ଲେଖିଛି ଓଡିଶା ପୋଲିସ । ବିଚାରପତିଙ୍କ ବାସଭବନରେ ପଶିଥିବା ସିବିଆଇର ସମସ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି । ବିଚାରପତି ସିଆର୍ ଦାଶଙ୍କ ବାସଭବନରେ ନିୟୋଜିତ ଦୁଇ ସୁରକ୍ଷାକର୍ମୀଙ୍କ ଧାରା ୧୬୧ରେ ବୟାନ ରେକର୍ଡ ହୋଇଛି । ଆଗକୁ ଧାରା ୧୬୪ରେ ବୟାନ ରେକର୍ଡ କରାଯିବ ବୋଲି ପୋଲିସ କହିଛି ।

ତେବେ ପ୍ରଶ୍ନ ଉଠୁଛି ..

– ସିବିଆଇ ବିରୋଧରେ ମାମଲା ଆଗକୁ କେଉଁ ମୋଡ ନେବ?

– ସିବିଆଇ ଅଧିକାରୀଙ୍କୁ ଜେରା କରିବ କି ଓଡିଶା ପୁଲିସ?

– ସିବିଆଇ ଅଧିକାରୀଙ୍କୁ ଗିରଫ କରିପାରେ କି ଓଡିଶା ପୋଲିସ?

ଏହାରି ଭିତରେ କନକ ନ୍ୟୁଜକୁ ମିଳିଥିବା ସୂଚନା ମୁତାବକ, ସିବିଆଇର କିଛି ଅଧିକାରୀ କ୍ୟାଂଟନମେଂଟ୍ ରୋଡ୍ ସ୍ଥିତ ବିଚାରପତିଙ୍କ ବାସଭବନରେ ଜଷ୍ଟିସ ସିଆର୍ ଦାଶଙ୍କୁ ସାକ୍ଷାତ କରିଛନ୍ତି । କୁହାଯାଉଛି, ଜଷ୍ଟିସଙ୍କୁ ଭେଟି ଘଟଣା ପାଇଁ ଦୁଃଖିତ ଥିବା ସିବିଆଇର ଏହି ଅଧିକାରୀ ମାନେ ବିଚାରପତିଙ୍କୁ କହିଛନ୍ତି । ଏଥିସହ ଡିସିପିଙ୍କୁ ଭେଟି ପୁଲିସ ଦାୟର କରିଥିବା ଏଫଆଇଆର କପିକୁ ସିବିଆଇ ଗ୍ରହଣ କରିଛି ।.

ସେପଟେ ଘଟଣାକୁ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି ହାଇକୋର୍ଟ ବାର୍ ଆସୋସିଏସନ୍ । ଏହି ଘଟଣାକୁ ନେଇ ଏକ ଜନସ୍ୱାର୍ଥ ମାମଲା ଦାୟର କରିବାକୁ ବାର୍ ନିଷ୍ପତି ନେଇଛି ।

ଗୋଟିଏ ପଟେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିବା ଅନ୍ୟପଟେ ଘଟଣା ପରଦିନ ବିଚାରପତିଙ୍କ ଘରେ ପଶିବା ନେଇ ସିବିଆଇ ବିରୋଧରେ ଓଡିଶା ପୋଲିସ ମାମଲା ରୁଜୁ କରିବା । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଓ ଓଡିଶା ପୋଲିସ ମଧ୍ୟରେ ଏବେ ଆରମ୍ଭ ହୋଇଯାଇଛି ଏକପ୍ରକାର ଛକାପଂଝା ।