ନାବାଳକ ଚା’ ବିକାଳିଙ୍କୁ ଗୋଇଠା ମାରି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ ଏ.କେ ବିଶ୍ୱାଳ : ପିସିଆର ଭ୍ୟାନରେ ଥିବା ଅନ୍ୟ କର୍ମଚାରୀ ହେବେ ତଦନ୍ତ ପରିସରଭୁକ୍ତ

448

କନକ ବ୍ୟୁରୋ : ନାବାଳକ ଚା’ ବିକାଳିଙ୍କୁ ଗୋଇଠା ମାରି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ ଏକେ ବିଶ୍ୱାଳ । ଏଥିସହ ପିସିଆର ଭ୍ୟାନରେ ଥିବା ଅନ୍ୟ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ଜଣେ ଅତିରକ୍ତ ଡିସିପି ପାରହ୍ୟାର ଅଧିକାରୀ ଏହି ଘଟଣାର ଯାଂଚ କରିବେ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଏହି କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

ସୂଚନା ଅନୁସାରେ କେସୁରା ଅଂଚଳରେ ଜଣେ ନାବାଳକ ୨୯ ତାରିଖ ଦିନ ଓମଫେଡ ବୁଥରେ ଚା’ ବିକୁଥିଲେ । ଏହି ସମୟରେ ସେଠାରେ ବଡ଼ଗଡ଼ ଥାନାର ୨୯ ନମ୍ବର ପିସିଆର ପହଂଚିଥିଲା । ଆଉ ତାକୁ କାହିଁକି ଦୋକାନ ଖୋଲିଛ ବୋଲି ଧମକାଇଥିଲେ । ବିଚରା ନାବାଳକ କାକୁତି ମିନତି ହେଲେ ବି ପୋଲିସ୍ ବାବୁ ଶୁଣିନଥିଲେ । ଆଉ ନାବାଳକକୁ ଗୋଇଠା ଉପରେ ଗୋଇଠା ମାରି ଚାଲିଥିଲେ । କରୋନା ସ୍ଥିତି ପାଇଁ ଜୀବନ ଓ ଜୀବିକା ବିପନ୍ନ । ବଂଚିବାର ରାହା ଖୋଜୁଛି ସାଧାରଣ ଜନତା । ଆଉ କିପରି ଦି ପଇସା ରୋଜଗାର କରିହେବ, ସେ ନେଇ ଅଧିକାଂଶ ଚିନ୍ତାରେ ।

ଏପରି ସମୟରେ ପୋଲିସ୍ ବାବୁଙ୍କର ଏପରି ଗୋଇଠା ମରା ଅମାନୁଷିକତାର ଏକ ବଡ଼ ପ୍ରମାଣ । କରୋନା ସ୍ଥିତି ବେଳେ କଟକଣା ନିହାତି ଦରକାର । ହେଲେ ଟିକିଏ ମାନବିକତା ଦେଖାଇବା ବି ଜରୁରୀ । କିନ୍ତୁ ଏହି ଘଟଣା ଏହାର ବୟାନ କରୁନି । ବରଂ ପେଟପାଟଣା ପାଇଁ ସଂଘର୍ଷ କରୁଥିବା ସାଧାରଣ ଜନତା ପ୍ରତି ଖାକି ବାବଙ୍କୁ ଦାଦାଗିରି ଚିନ୍ତା କରିବାକୁ ବାଧ୍ୟ କରୁଛି ।