କନକ ବ୍ୟୁରୋ : ରାଜନୀତିରେ କେହି କାହାର ଚିରଶତ୍ରୁ ନୁହଁନ୍ତି । ଭାରତୀୟ ନେତା ମାନଙ୍କ ମଧ୍ୟରେ ଘଡିକି ଘଡି ରାଜନୈତିକ ସଂପର୍କ ବଦଳୁଥିବା ଅନେକ ସମୟରେ ଦେଖା ଦେଇଛି । ଲଢେଇ ରାଜନୈତିକ ମୈଦାନ ହେଉଥିଲେ ବି ନେତାଙ୍କ ଭିତରେ ବ୍ୟକ୍ତିଗତ ସଂପର୍କ ପ୍ରାୟତ ଭଲ ରହିଥାଏ । ବହୁ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଅଲଗା ଅଲଗା ବିଚାରଧାରାର ନେତା ଗୋଟିଏ ମଞ୍ଚରେ ଦେଖା ଦେଇଥାନ୍ତି । ଏହାର ସଦ୍ୟ ଉଦାହରଣ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଧାନସଭା ନିର୍ବାଚନ ବେଳେ ଉଭୟ ଉଭୟଙ୍କୁ ଯେଭଳି ରାଜନୈତିକ ସ୍ତର ଠାରୁ ଆରମ୍ଭ କରି ବ୍ୟକ୍ତିଗତ ସ୍ତର ପର୍ଯ୍ୟନ୍ତ ଅକ୍ଷେପ କରୁଥିଲେ ତାକୁ କେହି ବି ସହଜରେ ଭୂଲି ପାରିବେ ନାହିଁ । ହେଲେ ମାତ୍ର କେଇଟା ଦିନ ବ୍ୟବଧାନରେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ନିକଟକୁ କୋଲକତାର ସ୍ୱେଶାଲ ଆମ୍ବ ଉପହାର ଭାବେ ପଠାଇ ପୁଣି ଥରେ ଭୋଟର ମାନଙ୍କୁ ଭାବିବାକୁ ବାଧ୍ୟ କରିଛନ୍ତି କି ବଦଳିବକି ମୋଦି-ଦିଦି ସଂପର୍କ !

Advertisment

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ପୂର୍ବ ସପ୍ତାହରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଶ୍ଚିମବଙ୍ଗର ସ୍ପେଶାଲ ଆମ୍ବ, ଲଙ୍ଗଡା,ହିମସାଗର ଓ ଲକ୍ଷ୍ମଣ ଭୋଗ ଆମ୍ବ ଉପହାର ସ୍ୱରୂପ ପଠାଇଛନ୍ତି । ଏହା ସହ ଦିଦି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ରକ୍ଷାମନ୍ତ୍ରୀ ରାଜନାଥ୍ ସିଂ ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ନିକଟକୁ ବି ଆମ୍ବ ପ୍ୟାକେଟ୍ ପଠାଇଛନ୍ତି । କେବଳ ସେତିକି ନୁହେଁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ବି ମମତା ଆମ୍ବର ପ୍ୟାକେଟ ପଠାଇଛନ୍ତି ।

ଅନ୍ୟପଟେ କୁହାଯାଇଛି କି ୧୦ ବର୍ଷ ହେବ ପ୍ରତିବର୍ଷ ମମତା ବାନାର୍ଜୀ ଦିଲ୍ଲୀର କିଛି ନେତାଙ୍କ ନିକଟକୁ ଆମ୍ବ ପେଟି ପଠାଉଛନ୍ତି । ଏହାସହ ୨୦୧୯ରେ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ କି ମମତା ଦିଦି ପ୍ରତିବର୍ଷ ମୋ ପାଇଁ ଗୋଟିଏ କି ଦୁଇଟି କୁର୍ତ୍ତା ପଠାଇଥାନ୍ତି । ଯାହାକି ତାଙ୍କ ପାଇଁ ଏକ ଖୁସିର କଥା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
କହିରଖୁ କି ଚଳିତ ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ହୋଇଥିବା ହିଂସାକୁ ନେଇ ଅନେକ କେନ୍ଦ୍ରମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିଲେ । ଏହାସହ ନନ୍ଦୀଗ୍ରାମରେ ମମତା ବାନାର୍ଜୀ ହାରିବା ପରେ ଏହାକୁ ନେଇ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ କୋର୍ଟରେ ପହଂଚିଥିଲେ ମମତା ବାନାର୍ଜୀ । ଏତେସବୁ ପରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ନିକଟକୁ ମମତାଙ୍କ ଉପହାରକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।