ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କ ସଭ୍ୟପଦ କାଏମ ! ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ଜାରି କଲେ ଅନ୍ତରୀଣ ରହିତାଦେଶ

41

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଯୋଗେଶ ସିଂ ଆଶ୍ୱସ୍ତ । ଯୋଗେଶଙ୍କ ସିଂଙ୍କ ବିଧାୟକ ପଦ ଋଦ୍ଦ ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଏହା ସହ ଯୋଗେଶ ସିଂଙ୍କ ସଭ୍ୟପଦ କାଏମ ରହିଛି । ଯୋଗେଶ ବିଧାନସଭା ଅଧିବେଶନରେ ଏଣିକି ଭାଗ ନେଇପାରିବେ । କିନ୍ତୁ ବିଧାୟକ ଭାବେ ଯୋଗେଶ ସିଂ କୌଣସି ଭୋଟଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ନାହିଁ । ସୁନ୍ଦରଗଡ ସଂରକ୍ଷିତ ଆସନରୁ ଯୋଗେଶ ସିଂ ବିଧାୟକ ଅଛନ୍ତି । ମିଥ୍ୟା ସତ୍ୟାପାଠ ଦର୍ଶାଇ ଜାନୁଆରୀ ୩୦ ତାରିଖରେ ହାଇକୋର୍ଟ ଯୋଗେଶ ସିଂଙ୍କ ସଭ୍ୟ ପଦକୁ ରଦ୍ଦ କରିଦେଇଥିଲେ । ରାୟ ବିରୋଧରେ ଯୋଗେଶ ସୁପ୍ରିମକୋର୍ଟ ଯାଇଥିଲେ । ୨୦୧୪ରେ ୯ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବାବେଳେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱି ବିଜେଡିର କୁଷୁମ ଟେଟେଙ୍କୁ ୧୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ କଂଗ୍ରେସ ପ୍ରାର୍ଥୀ ଯୋଗେଶ ସିଂ । ହେଲେ ନିର୍ବାଚନର ପ୍ରାୟ ୩ ବର୍ଷ ପରେ ତାଙ୍କ ସଭ୍ୟପଦକୁ ରଦ୍ଦ କରିଦେଇଥିଲେ ହାଇକୋର୍ଟ ।

ସୂଚନାଯୋଗ୍ୟ ଭୁଲ ଜାତିଗତ ପ୍ରମାଣ ପତ୍ର ଜରିଆରେ ସୁନ୍ଦରଗଡ଼ ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ଯୋଗେଶ ସିଂ ବିଜୟୀ ହୋଇଥିଲେ ବୋଲି ଓଡ଼ିଶା ହାଇକୋର୍ଟରେ ତାଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆବେଦନ କରିଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ ବିକେ ନାୟକଙ୍କୁ ନେଇ ଗଠିତ ସିଙ୍ଗଲ ବେଞ୍ଚ କୋର୍ଟ ମାମଲାର ଶୁଣାଣୀ କରି ଓ ବିଭିନ୍ନ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଯୋଗେଶଙ୍କ ସଭ୍ୟପଦକୁ ରଦ୍ଦ କରିଥିଲେ । ତେବେ ଏହି ଘଟଣା ପରେ ଓଡିଶା ବିଧାନସଭାରେ କଂଗ୍ରେସକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ରହିବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ଏ ନେଇ ବିଧାୟକ ଯୋଗେଶ ସର୍ବୋଚ୍ଚ ନ୍ୟାୟାଳୟରେ ଅପିଲ କରିଥିଲେ । ଯୋଗଶେଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ସୁପ୍ରିମକୋର୍ଟରେ ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ସମ୍ପୂର୍ଣ୍ଣ ରହିତାଦେଶ ଚାହିଁଥିଲେ । ମାତ୍ର ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ କେ ସିକ୍ରି ଓ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ସିବଳଙ୍କ ଆବେଦନର ଶୁଣାଣି କରି କହିଥିଲେ ଯେ ଏହି ମାମଲାର ଶୁଣାଣି ଜରୁରୀ । ତେଣୁ ସିଂଙ୍କୁ ସାମୟିକ ଆଶ୍ୱସ୍ତି ଦେଇ ସର୍ବୋଚ୍ଚ ନ୍ୟାୟାଳୟର ଖଣ୍ଡପୀଠ ସିଂଙ୍କ ବିଧାୟକ ପଦବିକୁ କାଏମ ରଖିଛନ୍ତି ।