ବିହାରରେ ଏନଡିଏକୁ ଲାଗିପାରେ ଆହୁରି ଏକ ଝଟକା । ନୀତିଶ-ତେଜସ୍ୱୀଙ୍କ ଶରଣ ନେଇପାରନ୍ତି ୩ ଏନଡିଏ ସାଂସଦ ।

454

କନକ ବ୍ୟୁରୋ: ବିହାରରେ ରାଜନୈତିକ ହଲଚଲ ଥମିବାର ନାଁ ନେଉନି । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏ ଛାଡିବା ସହିତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ଆଉ ଏହା ପରେ ପରେ ମହାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରି ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ । ଯାହାକି ବିଜେପି ପାଇଁ ଏକ ବଡ ଝଟକା ଥିଲା । ହେଲେ ଏବେ ବିହାରରେ ଭାରତୀୟ ଜନତା ପାର୍ଟିକୁ ଆହୁରି ଏକ ବଡ ଝଟକା ଲାଗିପାରେ ବୋଲି ଅନୁମାନ କରାଯାଉଛି ।

ମିଳିଥିବା ସୂଚନା ମୁତାବକ, ବିହାରର ୩ ଜଣ ଏନଡିଏ ସାଂସଦ ଖୁବଶୀଘ୍ର ମହାମେଣ୍ଟ ସହ ଯୋଡି ହୋଇ ତେଜସ୍ୱୀ-ନୀତିଶଙ୍କ ଶରଣ ନେଇପାରନ୍ତି । ଏନଡିଏ ମେଣ୍ଟରେ ଥିିବା ଲୋକଜନଶକ୍ତି ପାର୍ଟିର ୩ ଜଣ ସାଂସଦ ଏନଡିଏ ଛାଡି ଜେଡିୟୁ-ଆରଜେଡିକୁ ସମର୍ଥନ କରିପାରନ୍ତି ବୋଲି ସୂଚନା ମିଳୁଛି । ତେବେ କେନ୍ଦ୍ରମନ୍ତ୍ରୀ ଥିବା ପଶୁପତି ପାରସ ଗୋଷ୍ଠୀର ଏହି ସାଂସଦ କେବେ ଆରଜେଡି-ଜେଡିୟୁରେ ସାମିଲ ହେବେ ଜଣାପଡିନାହିଁ ।

ମିଡିଆ ରିପୋର୍ଟ ମୁତାବକ, ଖଗଡିଆ ସାଂସଦ ମହବୁବ୍ ଅଲ୍ଲୀ ଆରଜେଡିରେ, ବୈଶାଳୀ ସାଂସଦ ବୀଣା ଦେବୀ ଓ ନବାଦା ସାଂସଦ ଚନ୍ଦନ ସିଂହ ଜେଡିୟୁରେ ସାମିଲ ହୋଇପାରନ୍ତି । ସୂଚନାଯୋଗ୍ୟ ଯେ, ୨୦୧୯ରେ ଲୋକ ଜନଶକ୍ତି ପାର୍ଟିର ୬ ଜଣ ସାଂସଦ ବିହାରରେ ଜିତାପଟ ହାସଲ କରିଥିଲେ । ହେଲେ ଏବେ ଏହି ପାର୍ଟି ଦୁଇ ଭାଗରେ ବିଭକ୍ତ ହେଇଯିବା ସହିତ ଗୋଟିଏ ପଟେ ଚିରାଗ ପାଶୱାନ ଥିବାବେଳେ ଅନ୍ୟପଟେ ପଶୁପତି ପାରସ ରହିଛନ୍ତି । ତେବେ ଖୁବଶୀଘ୍ର ପାରସ ଗୋଷ୍ଠୀର ୩ ଜଣ ସାଂସଦ ନୀତିଶ-ତେଜସ୍ୱୀଙ୍କ ଶରଣ ନେଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଯାହାକି ବିଜେପି ପାଇଁ ଆଉ ଏକ ବଡ ଝଟକା ହେବ ।

ଏପଟେ ବିହାରରେ ବିଜେପି ନେତାମାନେ ନୀତିଶଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ବେଗୁସରାଇ ସାଂସଦ ଗିରିରାଜ ସିଂହ ତେଜସ୍ୱୀ ଓ ନୀତିଶଙ୍କ ଉପରେ ବର୍ଷିଛନ୍ତି । ଗିରିରାଜ କହିଛନ୍ତି ଯେ, ନିଜ ମହତ୍ତ୍ୱାକାଂକ୍ଷା ପାଇଁ ନୀତିଶ କୁମାର ଏନଡିଏ ଛାଡିଛନ୍ତି । ପ୍ରଧାନମନ୍ତ୍ରୀ ହେବା ପାଇଁ ସେ ଏପରି କରିଥିବା କହିଛନ୍ତି ଗିରିରାଜ । ତେବେ ନୀତିଶ କୁମାର କିନ୍ତୁ ପ୍ରଧାନମନ୍ତ୍ରୀ ହେବା ରେସରେ ନାହାଁନ୍ତି ବୋଲି ସ୍ପଷ୍ଟ ଭାବେ କହିସାରିଛନ୍ତି ।