ମୋବାଇଲ ନେଉଛି ପିଲାଙ୍କ ଜୀବନ ! କେବେ ଅନଲାଇନ୍ ଗେମ୍ ତ କେବେ ମୋବାଇଲ ନିଶା ନେଉଛି ପ୍ରାଣ ।

215

କନକ ବ୍ୟୁରୋ: ମୃତ୍ୟୁଦୂତ ହୋଇ ଆସୁଛି ମୋବାଇଲ । ଜୀବନ ପରେ ଜୀବନ ନେଉଛି ମୋବାଇଲ ନିଶା । ଦିନକୁ ଦିନ ଆଜିର ଯୁବପୀଢ଼ିଙ୍କୁ ମତୁଆଲା କରି ମୃତ୍ୟୁର କାରଣ ସାଜିଛି ସ୍ମାର୍ଟଫୋନ୍ । ଟିକିଏ ଆକଟ କଲେ ଦୁର୍ବଳ ମାନସିକ ଥିବା ପିଲା କରିଦେଉଛି ଆତ୍ମହତ୍ୟା । ପିଲାଙ୍କୁ କେମିତି ମୋବାଇଲ ନିଶାଠୁ ଦୂରରେ ରଖିବେ, କେମିତି ତାଙ୍କୁ ଏହାର ସଦୂପଯୋଗ ଓ ଏହାର ଦୂରୁପଯୋଗ ବୁଝାଇବେ, ତାହାକୁ ନେଇ ଏବେ ଚିନ୍ତାରେ ପ୍ରତ୍ୟେକ ବାପା-ମାଆ ।

ଗତକାଲି ମୋବାଇଲ ପାଇଁ ନବରଙ୍ଗର ନାବାଳକ ଆତ୍ମହତ୍ୟା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି । ମୋବାଇଲକୁ ନେଇ ଘର ଲୋକେ ତାଗିଦା କରିବାରୁ ନାବାଳକ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ନବରରଙ୍ଗପୁର ରାଇଘର ବ୍ଳକ ଅନ୍ତର୍ଗତ ଭାରସୁଣ୍ଡି ଗାଁର ବିଶ୍ୱଜିତ ମିର୍ଦ୍ଧାଙ୍କ ୧୪ ବର୍ଷୀୟ ପୁଅ ସୁମିତ ମିର୍ଦ୍ଧା । ନିଜ ମୋବାଇଲ ଦୋକାନରୁ ବାପାଙ୍କ ଅଜାଣତରେ ଏକ ମୋବାଇଲ ନେଇ ଆସିଥିଲେ ସୁମିତ । ଆଉ ସୁମିତ ଘରେ ଭିଡ଼ିଓ ଗେମ ଖେଳୁଥିବା ସମୟରେ ମାଆ ଦେଖି ପଚାରିବା ସହ ତାଗିଦ କରିଥିଲେ । ଏହାପରେ ସୁମିତ ଭୟଭୀତ ହୋଇ ବାଥରୁମରେ ପଶି ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି । ଏବେ ପୁଅକୁ ହରାଇ ପୂରା ପରିବାର ସ୍ଥାଣୁ ପାଲଟଛି ।

ଏପଟେ ବିଗତ କିଛି ବର୍ଷ ମଧ୍ୟରେ ମୋବାଇଲ ଦ୍ୱାରା ହୋଇଥିବା ମୃତ୍ୟୁର କାହାଣୀ ଗୁଡ଼ିକ ଅବିଭାବକଙ୍କର ମୁଣ୍ଡବ୍ୟଥା କରିଛି । କେତେବେଳ ମୋବାଇଲ ନିଶା, କେତେବେଳେ ଅନଲାଇନ୍ ଗେମ୍ ତ ଆଉ କେତେବେଳେ ଅଧିକ ସମୟ ମୋବାଇଲ ଦେଖୁଥିବା ପିଲାଙ୍କ ପାଇଁ କାଳ ସାଜୁଛି ସ୍ମାର୍ଟଫୋନ୍ । ବିଭିନ୍ନ ସମୟରେ ମୋବାଇଲ ମୃତ୍ୟୁକୁ ନେଇ ଆସୁଥିବା ଦେଶ-ବିଦେଶର ଖବର ସାଧାରଣରେ ପରିବାରବର୍ଗଙ୍କୁ ଚିନ୍ତାରେ ପକାଇଛି ।

ଗତବର୍ଷ ଏନସିପିଆର ଦେଇଥିବା ଏକ ରିପୋର୍ଟ ମଧ୍ୟ ଅଭିଭାବକଙ୍କୁ ସତର୍କ କରାଇଥିଲା । ଯେଉଁଥିରେ କୁହାଯାଇଥିଲା କି, ମାତ୍ର ୧୦ ପ୍ରତିଶତ ପିଲା ମୋବାଇଲ ଫୋନକୁ ଅନଲାଇନ୍ ଶିକ୍ଷାଦାନରେ ବ୍ୟବହାର କରୁଛନ୍ତି । ଆଉ ୫୯ ପ୍ରତିଶତ ପିଲା କେବଳ ହ୍ୱାଟ୍ସଆପ୍, ଫେସବୁକ ଓ ଅନଲାଇନ୍ ଗେମ୍ ପାଇର୍ ବ୍ୟବହାର କରୁଛନ୍ତି । ଯାହା ସେମାନଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଉଛି ବୋଲି ଏନସିପିଆର ଚେତାଇ ଦେଇଥିଲା ।

ଏପରିକି ଅନେକ ରାଜ୍ୟର ହାଇକୋର୍ଟ ଏନେଇ କେନ୍ଦ୍ରକୁ ସତର୍କ କରାଇଥିଲେ । ସରକାର ଏଭଳି ଏକ ନୀତି ଆଣନ୍ତୁ ଯାହାଫଳରେ ପିଲାମାନେ ଉଭୟ ଅନଲାଇନ ଓ ଅଫଲାଇନ୍ ଗେମରୁ ସୁରକ୍ଷିତ ରହିପାରିବେ । ଅନଲାଇନ୍ ଗେମ୍ ପ୍ରତି ବଢୁଥିବା ପିଲାଙ୍କ ଆକର୍ଷରେ ଅଙ୍କୁଶ ଲଗାଇବା ଏବେ ଜରୁରୀ ହୋଇପଡ଼ିଛି । ତେଣୁ ଏ ସମ୍ପର୍କରେ ଏକ କମିଟି ଗଢ଼ିବାକୁ ପରାମର୍ଶ ଦେଇଥିଲେ ନ୍ୟାୟଧୀଶମାନେ । ଏଠାରେ ବଡ଼କଥା ଦେଶର ଆଗାମୀ ଭବିଷ୍ୟତଙ୍କ ସୁରକ୍ଷା ଓ ଉଚିତ୍ ବୈଷୟିକ ଶିକ୍ଷା ଦେବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ତୁରନ୍ତ ଏଭଳି ମୋବାଇଲ ନିଶା ଉପରେ ନିୟନ୍ତ୍ରଣ ନକରାଗଲା ଗୋଟିଏ ପରେ ଗୋଟିଏ ପରିବାର ତାଙ୍କ ପିଲାଙ୍କୁ ହରାଉଥିବେ ।