ୟୁନିଟ ପରୀକ୍ଷା ସରିବା ପୂର୍ବରୁ ଜୀବନ ପରୀକ୍ଷାରେ ହାରିଗଲେ ୫ ଜଣ ସ୍କୁଲ ପିଲା । ଜନ୍ମ କଲା ପୁଅଝିଅଙ୍କୁ ନିଜ ହାତରେ ମୁଖାଗ୍ନି ଦେବା ବେଳେ କାନ୍ଦ ବୋବାଳିରେ ଫାଟି ପଡିଲା ପୂରା ଇଲାକା

26

କନକ ବ୍ୟୁରୋ : ସାଇକେଲ କିଣିବା ପାଇଁ ୧୫ ବର୍ଷରର ପୁଅ ବାପା ପାଖରେ ଅଡି ବସିଥିଲା । ହେଲେ ସାଇକେଲ ଆସିବା ପୂର୍ବରୁ ଚାଲିଗଲା ଜୀବନ । ଗତକାଲି ଭଦ୍ରକରେ ସ୍କୁଲ ପିଲାଙ୍କ ଉପରେ ଟ୍ରକ ଚଢିଯିବା ଘଟଣା ପରେ ସାମ୍ନାକୁ ଆସିଛି ଏଭଳି ଏକ କରୁଣ କାହାଣୀ । ଯେତେବେଳେ ଜଣେ ବାପା ପୁଅକୁ ମୁଖାଗି୍ନ ଦେଇ କୋହ ଭରା କଣ୍ଠରେ ବଖାଣିଛି ପୁଅର ସ୍ମୃତି । ସେପଟେ ଟ୍ରକ ତଳେ ଚାପି ହୋଇ ଭଦ୍ରକ ଅସୁରା ହାଟସାହିର ୫ଜଣ ସ୍କୁଲ ପିଲାଙ୍କ ଜୀବନ ଯିବାପରେ ପୁରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଘର ଅଗଣା ଠାରୁ ସ୍କୁଲ ବାରଣ୍ଡା ସତେ ଯେମିତି ସବୁ କିଛି ନୀରବି ଯାଇଛି । ଆଉ ଏସବୁ ଭିତରେ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପ୍ରଶାସନ ।

ଘର ଆଗରେ ପୁଅକୁ ଝୁରି ଝୁରି ବୁକୁଫଟାଇ କାନ୍ଦୁଛନ୍ତି ଭଦ୍ରକ ଜିଲ୍ଲା ହାଟସାହିର ପିଂଟୁ ସାହୁ । ୧୫ ବର୍ଷର ପୁଅ ସୁକାନ୍ତ ବାପାଙ୍କ ପାଖରେ ସାଇକେଲ ଟିଏ ପାଇଁ ଜିଦ କରିଥିଲା । ଟ୍ରଲି ଚଲାଉଥିବା ପିଂଟୁ ବି ପୁଅର ସାଇକେଲ କିଣିବା ପାଇଁ ବହୁ କଷ୍ଟରେ ଅଢେଇ ହଜାର ଟଙ୍କା ଯୋଗାଡ କରିଥିଲେ । ଆଉ ସଂଚିତ ସମ୍ବଳରୁ ଗତ କାଲି ୨୦ଟଙ୍କା ଦେଇ ପୁଅକୁ ସ୍କୁଲ ପଠାଇଥିଲେ । ସୁକାନ୍ତ ସ୍କୁଲରୁ ଫେରିବା ପରେ କିଣା ହୋଇଥାନ୍ତା ନୂଆ ସାଇକେଲ । ହେଲେ ସୁକାନ୍ତ ପାଇଁ ସାଇକେଲ ସ୍ପପ୍ନ ହୋଇ ରହିଗଲା ଓ ସୁକାନ୍ତ ପରିବାର ପାଇଁ ସ୍ମୃତି ପାଲଟିଗଲେ । କାହିଁକି ନାଁ ସ୍କୁଲରୁ ଫେରିବା ବଳେ ତାଙ୍କ ଉପରେ ଚଢିଗଲା ମୃତ୍ୟୁର ଟ୍ରକ ।

ସ୍କୁଲ ପିଲାଙ୍କ ଉପରେ ଟ୍ରକ ଚଢି ୫ ଜଣଙ୍କ ମୃତ୍ୟୁ ହେବା ପରେ ଆଜି ହାଟସାହି ଗାଁ ମଶାଣିରେ ହୋଇଛି ଗଣ ଶବଦାହ । ଜନ୍ମ କଲା ପୁଅଝିଅଙ୍କୁ ନିଜ ହାତରେ ମୁଖାଗ୍ନି ଦେଇ ସ୍ତବ୍ଧ ହୋଇଯାଇଛି ଅନେକ ପରିବାର । କାନ୍ଦ ବୋବାଳିରେ ଫାଟି ପଡିଛି ପୁରା ଇଲାକା ।ସେପଟେ ସ୍କୁଲ ଫେରନ୍ତା ଛାତ୍ରଛାତ୍ରୀଙ୍କ ମୃତ୍ୟୁପରେ ଆଜି ରାଣୀତାଲ ଉଚ୍ଚବିଦ୍ୟାଳୟରେ ଅସମ୍ଭବ ନୀରବତା ଖେଳିଯାଇଥିଲା । ସ୍କୁଲରେ ଚାଲିଥିବା ୟୁନିଟ ଟେଷ୍ଟ ଆଜି ସିରିଥାନ୍ତା । ହେଲେ ରାଣୀତାଲର ସ୍କୁଲର ଏହି ପାଂଚ ଜଣ ଛାତ୍ରଛାତ୍ରୀ ୟୁନିଟ ଟେଷ୍ଟ ଶେଷ କରିବା ପୂର୍ବରୁ ଜୀବନ ପରୀକ୍ଷାରେ ହାରି ଯାଇଛନ୍ତି ।

ଟ୍ରକ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଚାଲିଯାଇଛି ପାଂଚ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ଜୀବନ । ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଥିବା ବେଳେ ଜାତୀୟ ରାଜପଥ କଡରେ ଥିବା ସ୍କୁଲ ଗୁଡିକର ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଏବେ ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାର ।