ପୁଣି ନବୀନଙ୍କ ସମଦୁରତ୍ୱ ଫର୍ମୁଲା । ଅନାସ୍ଥା ଆଲୋଚନାରେ ଭାଗ ନେଲା ନାହିଁ ବିଜେଡି, କହିଲା, ୧୪ ବର୍ଷ ଧରି କେନ୍ଦ୍ର ଅବହେଳାର ଶିକାର ହୋଇଛି ଓଡିଶା
କନକ ବ୍ୟୁରୋ : ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଭୋଟିଂରେ ବିଜେଡିର ଆଭିମୁଖ୍ୟ କଣ ରହିବ ତାକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଥିଲା । ତେବେ ଆଲୋଚନାରେ ଭାଗ ନନେଇ କକ୍ଷତ୍ୟାଗ କରିବାକୁ ନିଷ୍ପତି ନେଇଥିଲେ ବିଜେଡି ସାଂସଦ । ଆଉ ବିଜେଡିର ଏଭଳି ନିଷ୍ପତିକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି ମହତାବଙ୍କ ବକ୍ତବ୍ୟ ସହ ସ୍ପଷ୍ଟ ହୋଇଯାଇଥିଲା ବିଜୁ ଜନତା ଦଳର ଆଭିମୁଖ୍ୟ । କେନ୍ଦ୍ରରେ ୟୁପିଏ ସରକାରଙ୍କ ୧୦ବର୍ଷ ଓ ଏନଡିଏ ସରକାରଙ୍କ ୪ବର୍ଷ ଶାସନରେ ଓଡିଶକୁ ଉପେକ୍ଷା କରାଯାଇଛି । ତେଣୁ ଗୃହରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିଜେଡିର ବିଶେଷ କିଛି ଫାଇଦା ହେବନାହିଁ । ଯେଉଁଥିପାଇଁ ବିଜେଡି କକ୍ଷ୍ୟ ତ୍ୟାଗ କରିଛି । ବିଜେଡିର ଏହି ପଦକ୍ଷେପ ସହ ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଥିଲା । କାରଣ ମୋଦି ସରକାରଙ୍କ ବିରୋଧରେ ବୁଧବାର ଟିଡିପି ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବା ଦିନରୁ ଚର୍ଚ୍ଚା ଲାଗି ରହିଥିଲା ଯେ, ବିଜେଡି କେଉଁ ଆଡକୁ ଢଳିବ? ମୋଦି ବିରୋଧୀ ମେଂଟରେ ରହି ଅନାସ୍ଥା ପ୍ରସ୍ତାବ ସପକ୍ଷରେ ମତଦେବ ? ନା ଅନାସ୍ଥା ବିରୋଧରେ ଭୋଟ ଦେଇ ମୋଦି ସରକାରଙ୍କୁ ସମର୍ଥନ ଜଣାଇବ? ହେଲେ ପୁଣିଥରେ ବିଜେପି ଓ କଂଗ୍ରେସଠାରୁ ସମଦୂରତାର ମେସେଜ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ବାପା ବିଜୁ ପଟ୍ଟନାୟକଙ୍କ ସମୟରେ ରାଜନୀତିର ଧାର ଧରିନଥିବା ନବୀନ, ଓଡିଶା ରାଜନୀତିରେ ପ୍ରବେଶ କରିବା ଦିନରୁ ଗୋଟିଏ ପରେ ଗୋଟିଏ ନିର୍ବାଚନୀ ବୈତରଣୀ ଜିତି ନିଜ ରାଜନୈତିକ ପରିପକ୍ୱତାର ବାରମ୍ବାର ପ୍ରମାଣ ଦେଇଆସିଛନ୍ତି । ଆଉ ୨୦୦୯ରେ ବିଜେପିଠାରୁ ସଂପର୍କ ଛିନ୍ନ କରିବା ପରେ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତାର ରଣନୀତି ଅବ୍ୟାହତ ରଖିିଛନ୍ତି । ଯେତେବେଳେ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ତତକ୍ଷଣାତ ସମର୍ଥନ ଜଣାଇଥିଲେ ନବୀନ, ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା ଯେ, ହୁଏତି ବିଜେପି ଆଡକୁ ଢଳୁଛି ବିଜେଡି । ହେଲେ ପୁଣି ଉପରାଷ୍ଟ୍ରପତି ନିର୍ବାଚନରେ ଅଣବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଲେ ବିଜେଡି ସୁପ୍ରିମୋ । ଯାହା ଜାତୀୟ ରାଜନୀତିରେ ନବୀନଙ୍କ ଗୁରୁତ୍ୱ ବଢାଇ ଦେଇଥିବା କୁହାଯାଏ ।
ବିମୁଦ୍ରାୟନ, ଜିଏସଟି ଏବଂ ଏକକ ନିର୍ବାଚନ ପରି ଜାତୀୟ ରାଜନୀତିକୁ ପ୍ରଭାବିତ କରୁଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେପିକୁ ସମର୍ଥନ ଜଣାଇଛି ବିଜେଡି । ହେଲେ ମହାନଦୀ, ପୋଲାଭରମ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଆୟୁଷମାନ ଭାରତ ଓ ଆକାଂକ୍ଷୀ ଜିଲ୍ଲା ଯୋଜନା ପ୍ରସଙ୍ଗରେ ଓଡିଶାକୁ ଉପେକ୍ଷା କରାଯାଉଥିବା ଅଭିଯୋଗ କରି କେନ୍ଦ୍ରରେ ବିଜେପି ସରକାରକୁ ବାରମ୍ବାର ଟାର୍ଗେଟ କରିଆସିଛି । ଯାହା ବିଜେପି-ବିଜେଡି ସମୀକରଣକୁ ନେଇ ବଡ ଦ୍ୱନ୍ଦ୍ୱ ତିଆରି କରିଛି । ତେଣୁ ବିଶେଷଜ୍ଞଙ୍କ ମତରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାରେ ଭାଗନେଇ ବିଜେଡି ଏସବୁ ପ୍ରସଙ୍ଗ ଉଠାଇବା ଜରୁରୀ ଥିଲା ।
ଓଡଶାର ଦାବି ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ବାଦ ଅନେକ ଜାତୀୟ ପ୍ରସଙ୍ଗରେ ମଧ୍ୟ ଅନାସ୍ଥା ଆଲୋଚନାରେ ଭାଗନେଇ ବିଜେଡି ଆଭିମୁଖ୍ୟ ସ୍ପଷ୍ଟ କରିବା ଜରୁରୀ ଥିଲା । ହେଲେ ଅନାସ୍ଥା ସପକ୍ଷରେ ବା ବିପକ୍ଷରେ ଯିବାରେ ବିଜେଡି ଆଗରେ ଦୁଇଟି ସମସ୍ୟା ରହିଥିଲା ।
– ଯେହେତୁ ଟିଡିପି ଅନାସ୍ଥା ପ୍ରସ୍ତାବ ଆଣିଥିଲା ଏବଂ ଆନ୍ଧ୍ରରେ ଟିଡିପି ସହିତ ପୋଲାଭରମକୁ ନେଇ ବିଜେଡିର ବିବାଦ ରହିଆସିଛି । ତେଣୁ ପ୍ରସ୍ତାବକୁ ସମର୍ଥନ କରିବାର ଅର୍ଥ ପୋଲାଭରମ ମାମଲାରେ ବିଜେଡି ବ୍ୟାକଫୁଟରେ ରହିବ ।
– ପ୍ରସ୍ତାବ ବିରୋଧରେ ବିଜେଡି ଭୋଟ ଦେବା ଅର୍ଥ ସିଧା ସଳଖ ସାମ୍ନାକୁ ଆସିବ ଯେ, ବିଜେପି ସମର୍ଥନରେ ରହିଛି ବିଜେଡି । ୨୦୧୯ ପାଇଁ ବିଜେପି-ବିଜେଡି ଭିତରେ ସିଧାସଳଖ ଲଢେଇ ଚାଲିଛି । ତେଣୁ ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ ଦେଇ ରିସ୍କ ନେବାକୁ ଚାହିଁଁନାହାନ୍ତି ବିଜେଡି ସୁପ୍ରିମୋ ।