କମ୍ପ୍ୟୁଟର, ଲାପଟପ୍, ଓ ମୋବାଇଲକୁ ସାବଧାନ। ଦୀର୍ଘ ସମୟ ଦେଖୁଥିଲେ ଆଖି ପାଇଁ ବଡ଼ ବିପଦ।

714

କନକ ବ୍ୟୁରୋ: ଦୀର୍ଘ ସମୟ ଧରି କମ୍ପ୍ୟୁଟର କିମ୍ବା ଲାପଟପ୍ ସାମ୍ନାରେ ବସୁଥିଲେ ସତର୍କ ହୋଇଯାଆନ୍ତୁ । କାରଣ ଏହା ଆପଣଙ୍କ ଆଖି ପାଇଁ ଆଣିପାରେ ବଡ ବିପଦ । ଛାତ୍ରଛାତ୍ରୀ ଓ ଆଇଟି କ୍ଷେତ୍ରର କର୍ମଜୀବୀମାନେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସିରହିଥାନ୍ତି । ତେଣୁ ଅଜାଣତରେ ସେମାନେ କିଭଳି ଏକ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ଯାଉଛନ୍ତି ତାହା ଜାଣିପାରୁନାହାନ୍ତି । ଚିକିତ୍ସା ବିଜ୍ଞାନୀଙ୍କ ମତରେ କମ୍ପ୍ୟୁଟର କିମ୍ବା ଲାପଟପ୍ ସାମ୍ନାରେ ବସିବା ଫଳରେ ଦୀର୍ଘ ସମୟ ଧରି ଆଖିର ପତା ପଡିନଥାଏ । ଏହାଦ୍ୱାରା ଆଖିର ଲୁବ୍ରିକେସନ୍ କମିଯାଏ ଅର୍ଥାତ୍ ଆଖି ଶୁଖିଲା ହୋଇଯାଏ । ଯାହା ଡ୍ରାଏ ଆଇ ସିଣ୍ଡ୍ରୋମ ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ ।

ଲୁହ ନଝରିଲେ ଆଖିକୁ ବିପଦ!
– ଦୀର୍ଘ ସମୟ କମ୍ପ୍ୟୁଟରକୁ ଚାହିଁରହିଲେ ଆଖିର ପତା ପଡିନଥାଏ
– ଆଖିର ପତା ନପଡିଲେ ଆଖି ଶୁଖିଲା ହୋଇଯାଏ
– ଲୁହ ନଝରିବା ଫଳରେ ଆଖିରେ ଯନ୍ତ୍ରଣା ଅନୁଭବ ହୁଏ
– ଆଖିରେ ବାରମ୍ବାର ପଲକ ପଡିଲେ ଏଥିରେ ଜଳୀୟ ଅଂଶ ସୃଷ୍ଟି ହୁଏ
– ଦୀର୍ଘ ସମୟ କମ୍ପ୍ୟୁଟର, ଲାପଟପ ସ୍କ୍ରିନକୁ ଚାହିଁ ରହିଲେ ଆଖି ପତା ପଡେନାହିଁ
– ତେଣୁ ଦୀର୍ଘ ସମୟଧରି ସ୍କ୍ରିନକୁ ଚାହିଁ ରହିବା ବିପଦ ବଢାଇପାରେ

ସାଧାରଣତଃ ଆମ ଆଖି ପତା ଗୋଟିଏ ମିନିଟରେ ୧୨ ଥର ପଡିଥାଏ । ହେଲେ ଡିଜିଟାଲ ସ୍କ୍ରିନକୁ ଚାହିଁ ରହୁଥିବା ଲୋକଙ୍କ ଆଖି ପତା ୭ରୁ ୮ ଥର ପଡେ । ଆଖିରେ ଥିବା ଲାକ୍ରିମାଲ ଗ୍ଲାଣ୍ଡରୁ ଲୁହ ଝରିଥାଏ । ଏବଂ ଆଖି ପତା ପଡିଲେ ହିଁ ଉପର ଆଖି ପତାରୁ ଲୁହ ଝରେ । ଏହି ଲୁହ ନଝରିଲେ ଡ୍ରାଏ ଆଇ ସିଣ୍ଡ୍ରୋମ ଦେଖାଦିଏ ।
ବିଶେଷଜ୍ଞଙ୍କ ପରାମର୍ଶ
– ଡାଏବେଟିସ ରୋଗୀଙ୍କ ନିକଟରେ ଏହି ସ୍ୱାସ୍ଥ୍ୟ ସମସ୍ୟା ଅଧିକ ରୁହେ
– ଆଖିରେ ଯନ୍ତ୍ରଣା ହେଲେ ଡାକ୍ତର ଆଇ ଡ୍ରପ ପକାଇବାକୁ କହିଥାନ୍ତି
– କିନ୍ତୁ ଦୀର୍ଘ ସମୟ କମ୍ପ୍ୟୁଟର ସାମ୍ନାରେ ନବସିବା ଉଚିତ୍
– ମଝିରେ ମଝିରେ କାମରୁ ବିରତି ନେଇ କମ୍ପ୍ୟୁଟର ସାମ୍ନାରୁ ଉଠିଗଲେ ଭଲ

ଡାକ୍ତର କହିଛନ୍ତି ଯେ, ଡିଜିଟାଲ ଯୁଗରେ ବିଭିନ୍ନ ପ୍ରକାର ଗ୍ୟାଜେଟଠାରୁ ଦୂରେଇ ରହିବା ମୁସ୍କିଲ । ତେଣୁ ୨୦-୨୦-୨୦ ଫର୍ମୁଲା ଆପଣାଇବାକୁ ଦେଇଛନ୍ତି ପରାମର୍ଶା
କ’ଣ ଏହି ୨୦-୨୦-୨୦ ଫର୍ମୁଲା?
ପ୍ରତି ୨୦ ମିନିଟ୍ ବ୍ୟବଧାନରେ ୨୦ ସେକେଣ୍ଡର ବ୍ରେକ୍ ନେଇ ୨୦ ଥର ଆଖି ବ୍ଲିଙ୍କ କଲେ ଆଖିକୁ ଆରାମ ମିଳିବ ।
୨୦ ମିନିଟର ବ୍ୟବଧାନ
୨୦ ସେକେଣ୍ଡର ବ୍ରେକ୍
୨୦ ଥର ଆଖି ବ୍ଲିଙ୍କ୍