ଅଶୋକ ସ୍ତମ୍ଭକୁ ନେଇ ରାଜନୀତି: ନୂଆ ସଂସଦ ଭବନରେ ଲୋକାର୍ପଣ ହୋଇଥିବା ଅଶୋକ ସ୍ତମ୍ଭ ମୂଳ ଜାତୀୟ ପ୍ରତିକଠୁ ଅଲଗା କହିଲେ ବିରୋଧୀ

1,066

କନକ ବ୍ୟୁରୋ: ନୂଆ ସଂସଦ ଭବନର ଛାତ ଉପରେ ଉନ୍ମୋଚିତ ହୋଇଥିବା ଅଶୋକ ସ୍ତମ୍ଭକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିରୋଧୀ ଅଭିଯୋଗ କରିଛନ୍ତି ପୁରୁଣା ଅଶୋକ ସ୍ତମ୍ଭ ଏବଂ ନୂଆ ଅଶୋକ ସ୍ତମ୍ଭ ମଧ୍ୟରେ ଅନେକ ଫରକ ରହିଛି । ପୁରୁଣା ଅଶୋକ ସ୍ତମ୍ଭରେ ଥିବା ସିଂହ ଗୁଡ଼ିକ ସେତିକି ମୁହଁ ଖୋଲିନି ଯେତିକି ନୂଆ ଅଶୋକ ସ୍ତମ୍ଭରେ ରହିଛି । ନୂଆ ଅଶୋକ ସ୍ତମ୍ଭରେ ଥିବା ସିଂହଗୁଡ଼ିକ ହିଂସ୍ର ଦେଖାଯାଉଛନ୍ତି ବୋଲି ବିରୋଧୀଦଳ ନେତା ଅଭିଯୋଗ କରିଛନ୍ତି ।

ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ କେବଳ ପୁରୁଣା ଏବଂ ନୂଆ ଅଶୋକ ସ୍ତମ୍ଭ ଜାରି କରିଥିବା ବେଳେ ସେହିପରି ଆଉ ଜଣେ ଟିଏମସି ସାଂସଦ ଜୱାହର ସିରକାର କହିଛନ୍ତି ଯେ, ନୂଆ ଅଶୋକ ସ୍ତମ୍ଭଟି ଆମ ଜାତୀୟ ପ୍ରତୀକ ପ୍ରତି ଅପମାନ । ପୁରୁଣା ଅଶୋକସ୍ତମ୍ଭରେ ଥିବା ସିଂହମାନେ ଅନୁଶାସନପ୍ରିୟ ଓ ଆତ୍ମବିଶ୍ୱାସ ଭରା ଦେଖାଯାଉଥିବାବେଳେ ମୋଦୀଙ୍କ ଦ୍ୱାରା ସଂସଦଭବନ ଉପରେ ନିର୍ମିତ ନୂଆ ଅଶୋକ ସ୍ତମ୍ଭର ସିଂହମାନେ ହିଂସ୍ର, ଅନାବଶ୍ୟକ ଭାବେ ଆକ୍ରାମକ ଓ ଅସଂଗତ ଦେଖାଯାଉଛନ୍ତି । ଏହାକୁ ତୁରନ୍ତ ବଦଳାଯାଉ ।

ସେହିପରି ଆମ୍ ଆଦମୀ ପାର୍ଟି ସାଂସଦ ସଂଜୟ ସିଂ ଟୁଇଟ କରି ଲେଖିଛନ୍ତି୍ ଯେ ରାଷ୍ଟ୍ରୀୟ ପ୍ରତୀକକୁ ବଦଳାଇଥିବା ଦଳକୁ ଦେଶବିରୋଧୀ କୁହାଯିବ ହି ନାହିଁ? ମୋଦୀ ସୋମବାରଦିନ ନବନିର୍ମିତ ସଂସଦ ଭବନ ଉପରେ ନିର୍ମିତ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଥିଲେ । ବ୍ରୋଞ୍ଜ ନିର୍ମିତ ଏହି ଅଶୋକ ସ୍ତମ୍ଭଟି ୬.୩ ମିଟର ଉଚ୍ଚ ହୋଇଥିବାବେଳେ ତାହାର ଓଜନ ୯୫୦୦ କିଲୋଗ୍ରାମ ରହିଛି । ଏହି କାର୍ଯ୍ୟକ୍ରମକୁ ବିରୋଧୀ ଦଳ ସାଂସଦମାନଙ୍କୁ ଡକାଯାଇନଥିବାରୁ କଂଗ୍ରେସ ସମାଲୋଚନା କରିଥିଲା ।