ଶ୍ରୀଲଙ୍କା ରାଷ୍ଟ୍ରପତି ଦେଲେ ଇସ୍ତଫା: ଦେଶ ଛାଡି ଚାଲିଯିବା ବେଳେ ବିମାନବନ୍ଦରରେ ହଟହଟା ହେଲେ ପୂର୍ବତନ ମନ୍ତ୍ରୀ

139

କନକ ବ୍ୟୁରୋ: ଦେଶର ଆର୍ଥିକ ସ୍ଥିତି ଖରାପ ହୋଇଥିବାରୁ ଗୋଟିଏ ପଟେ ରାସ୍ତାରେ ଶ୍ରୀଲଙ୍କାର ଜନତା । ଅନ୍ୟପଟେ ଦେଶ ଛାଡିଯିବାକୁ କଲୋମ୍ବୋ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ସାନ ଭାଇ ବାସିଲ ରାଜପାକ୍ଷେ । ଆମେରିକା ଏବଂ ଶ୍ରୀଲଙ୍କାର ନାଗରିକତ୍ୱ ରଖିଥିବା ଏହି ନେତା ଦୁବାଇ ଯିବାକୁ ଯୋଜନା କରିଥିଲେ । କିନ୍ତୁ ବିମାନ ବନ୍ଦର କର୍ତୃପକ୍ଷ ବାସିଲଙ୍କୁ ସମର୍ଥନ ନକରିବାରୁ ତାଙ୍କ ଉଦ୍ଦେଶ୍ୟ ବିଫଳ ହୋଇଛି । ବାସିଲ ରାଜପାକ୍ଷେ ଗତକାଲି ରାତିରେ ଦେଶ ଛାଡିବାକୁ ଚେଷ୍ଟା କରିଥିଲେ । କଲମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ମାତ୍ରେ ତାଙ୍କୁ ଦେଖି ବିମାନବନ୍ଦର କର୍ମଚାରୀ ଏବଂ ଅଧିକାରୀମାନେ ରାଗି ଯାଇଥିଲେ ।

କୁହାଯାଉଛି ଯେ ସେ ଦେଶ ଛାଡିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ସେଠାରେ ଥିବା ଜନତା ତାଙ୍କୁ ଚିହ୍ନି ପକାଇଥିଲେ । ଏହାପରେ ବିମାନବନ୍ଦରରେ ଥିବା ଇମିଗ୍ରେସନ କର୍ମଚାରୀମାନେ ସହଯୋଗ କରିବାକୁ ସିଧାସିଧା ମନା କରିଦେଇଥିଲେ ।

ଫେରାର ଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ନିଜ ପଦରୁ ଇସ୍ତଫା ଦେବେ । ସେ ଇସ୍ତଫା ପତ୍ରରେ ଦସ୍ତଖତ କରି ସାରିଛନ୍ତି । ବୁଧବାର ସେ ଇସ୍ତଫା ପତ୍ର ବାଚସ୍ପତିଙ୍କୁ ପ୍ରଦାନ କରିବେ । ଏବେ ନୂଆ ସରକାର ନଗଢିବା ଯାଏ କାର୍ଯ୍ୟକାରୀ ରାଷ୍ଟ୍ରପତି ରହିବେ ବାଚସ୍ପତି । ଇତି ମଧ୍ୟରେ ସର୍ବଦଳୀୟ ବୈଠକରେ ଅନ୍ତରୀଣ ସରକାର ଗଢିବାକୁ ସହମତି ପ୍ରକାଶ ପାଇଛି । ଜୁଲାଇ ୨୦ରେ ନିର୍ବାଚନ ହେବ ବୋଲି ସୂଚନା ମିଳିଛି ।

ଏହି ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଏକ ବିବୃତି ଜାରି କରି ସୂଚାଇ ଦେଇଛନ୍ତି ଯେ ସେ ଶ୍ରୀଲଙ୍କାର ପରବର୍ତୀ ରାଷ୍ଟ୍ରପତି ହେବା ପାଇଁ ନିଜର ଆକାଂକ୍ଷା ଛାଡ଼ି ନାହାନ୍ତି । ଯିଏକି ମହିନ୍ଦା ରାଜପାକ୍ଷେଙ୍କ ସମର୍ଥନରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ।