ସମ୍ରାଟ ବନିଲେ ଅଶୋକ, ସେନାପତି ସାଜିଲେ ସଚିନ୍ । ରାହୁଲଙ୍କ ରାଜସ୍ଥାନ ଫର୍ମୁଲା ,ସମସ୍ତଙ୍କ ଖୁସିରେ ଦିଲ୍ଲୀ ଖୁସି ।

ବରିଷ୍ଠ ବନାମ କନିଷ୍ଠ ଲଢ଼େଇରେ ଅଶୋକଙ୍କ ଉପରେ ଆସ୍ଥା ପ୍ରକଟ କଲେ ରାହୁଲ । ଗେହଲଟ ବନିବେ ମୁଖ୍ୟମନ୍ତ୍ରୀ ସହଯୋଗ କରିବେ ସଚିନ ।

465

କନକ ବ୍ୟୁରୋ: ରାଜସ୍ଥାନ କଂଗ୍ରେସରେ ବିଜୟ ହାସଲପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେଥିରେ ପଡ଼ିଛି ପୂର୍ଣ୍ଣଛେଦ । ବହୁ ଅଙ୍କକଷା ପରେ ଅଶୋକ ଗେହଲଟ ହେଲେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ । ଏନେଇ ଦିଲ୍ଲୀରେ ବସିଥିବା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କଂଗ୍ରେସ ଯୁବ ନେତା ସଚିନ ପାଇଲଟଙ୍କ ନାଁ ମଧ୍ୟ ଚର୍ଚ୍ଚାରେଥିଲା । ତେଣୁ ସଚିନ ପାଇଲଟ ରାଜସ୍ଥାନର ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଭାର ତୁଲାଇବେ । ବରିଷ୍ଠ ଏବଂ କନିଷ୍ଠ ଲଢ଼େଇରେ ରାଜସ୍ଥାନର ଡ଼ୋରୀ କଂଗ୍ରେସର ଅଭିଜ୍ଞ ନେତା ଅଶୋକ ଗେହଲଟଙ୍କ ହାତକୁ ଦେଇଛନ୍ତି ରାହୁଲ ଗାନ୍ଧି ।

ଗତକାଲି କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧିଙ୍କ ବାସଭବନରେ ଅଶୋକ ଗେହଲଟଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ତେବେ ଅଶୋକ ଗେହଲଟଙ୍କୁ  ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରିବା ପାଇଁ ଅନେକ ମହଲରୁ ଦାବି ଉଠିଥିଲା । ଗେହଲଟଙ୍କ ସମର୍ଥନରେ ରାଜସ୍ଥାନର କିଛି ସ୍ୱାଧୀନ ବିଧାୟକ ମଧ୍ୟ ସ୍ୱର ଶାଣିତ କରିଥିଲେ ।

ତେବେ ଅଶୋକ ଗେହଲଟ ୧୯୯୮-୨୦୦୩ ଓ ୨୦୦୮-୨୦୧୩ ପର୍ଯ୍ୟନ୍ତ ରାଜସ୍ଥାନର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ । ଏହାପରେ ୨୦୧୭ରୁ ଗେହଲଟ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟଭାର ତୁଲାଇଆସିଛନ୍ତି । ସେହିଭଳି ୧୯୮୨-୧୯୯୩ ଭିତରେ ଏକାଧିକ ବାର କେନ୍ଦ୍ରରେ ମନ୍ତ୍ରୀ ଓ ଉପମନ୍ତ୍ରୀ ଏବଂ ଚାରିଥର ରାଜସ୍ଥାନ କଂଗ୍ରେସର ପରିଚାଳନା ଭାର ତୁଲାଇଥିବା ଭଳି ଦକ୍ଷତା ରାଜ୍ୟ ନେତୃବୃନ୍ଦଙ୍କୁ ପସନ୍ଦ ଆସିଥିଲା । ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟରେ ପ୍ରମୂଖ ଭୂମିକା ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ସମୁଦାୟର ଭୋଟ ହାତେଇବା ଓ ଟିକେଟ ବଂଟନ ଭଳି ଗୁରୁ ଦାୟିତ୍ୱ ତୁଲାଇ ରାଜସ୍ଥାନରେ କଂଗ୍ରେସର ବିଜୟ ହାସଲ କରିବାରେ ସହାୟକ ହୋଇଥିବାରୁ ଏବେ ତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିଛି ।