ବୌଦ୍ଧ ଚାଷୀଙ୍କ ବଡ ସମସ୍ୟା: ଚକଡା ଚଡକ ପରେ ଏବେ ଚାଷୀଙ୍କୁ ଘାରିଲା ପିଆଜ ଚିନ୍ତା

ଋଣକୁ ନେଇ ଚିନ୍ତାରେ ଚାଷୀ

54

କନକ ବ୍ୟୁରୋ : ଧାନ ଫସଲରେ ଚକଡା ଚଡକ ପରେ ଏବେ ଚାଷୀଙ୍କୁ ଘାରିଛି ପିଆଜ ଚିନ୍ତା  । ଫେଲ ମାରିଛି ପିଆଜ ଚାଷ । ଉଦ୍ୟାନ ବିଭାଗ ଏବଂ ନେସନାଲ ସିଡ୍ସ କମ୍ଫାନୀ ର ମଧୁଚନ୍ଦ୍ରିକା ରେ ନିମ୍ନ ମାନର ବିହନ ଯୋଗାଇଥିବା ଅଭିଯୋଗ । ବିହନ ହେଉନି ଗଜା ଉଠୁନି ଗଛ । ଋଣ ଭାର କରି ଏବେ କରିଥିବା ଚାଷର ଋଣ ପରିଶୋଧ କିଭଳ କରିବ ଆଉ ପରିବାର ପ୍ରତିପୋଷଣ କରିବ ସେ ନେଇ  ମୁଣ୍ଡରେ ହାତ ଦେଇ ବସିଛି  ପିଆଜ ଚାଷୀ । ଅନ୍ୟପଟେ ବିଭାଗୀୟ ଅଧିକାରୀ କହୁଛନ୍ତି ଚାଷୀ ଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ । ଏଭଳି ଏକ ଚିତ୍ର ସାମନାକୁ ଆସିଛି  ବୌଦ୍ଧ ଜିଲ୍ଲାରୁ  ।

ଗଛ ହେବ କଣ ଗଜା ହେଲାନି ସରକାରୀ ବିହନ । ଚଳିତ ଖରିଫ୍ ଋତୁରେ ଜିଲ୍ଲାର କଂଟାମାଳ, ହରଭଙ୍ଗା ଏବଂ ବୌଦ୍ଧ ସଦର ବ୍ଲକରେ ୧୦୦ ହେକ୍ଟର ଜମିରେ ପିଆଜ ଚାଷ ପାଇଁ ନ୍ୟାସନାଲ ସିଡ୍ସ କମ୍ପାନୀ  ପକ୍ଷରୁ ଉଦ୍ୟାନ ବିଭାଗ ଜରିଆରେ ଯୋଗାଇ ଦିଆଯାଇଥିଲା ପିଆଜ ବିହନ । ଚକଡା ପୋକ ଲାଗି ଧାନ ଫସଲ ନଷ୍ଟ ହୋଇଯିବା ପରେ ପିଆଜ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବାର ଆଶା ରଖିଥିଲେ ଚାଷୀ । ହେଲେ ନିମ୍ନମାନର ବିହନ ଯୋଗୁଁ ପିଆଜ ମଂଜି ଗଜା ନହେବାରୁ ଚାଷୀର ଚିନ୍ତା ବଢିଯାଇଛି ।

କାଁ ଭାଁ କୋଉଁଠି ପିଆଜ ଗଛ ହୋଇଥିଲେ ବି ରୋଗପୋକ ଦାଉରୁ ବର୍ତିପାରିନି । ସେପଟେ ନିମ୍ନମାନର ବିହନ ଯୋଗୁଁ ପିଆଜ ଚାଷ ଉଜୁଡି ଯାଇଥିବା ସ୍ୱୀକାର କରିଛନ୍ତି ବିଭାଗୀୟ ଅଧିକାରୀ । ଏଥିପାଇଁ ବିହନ ଯୋଗାଇଥିବା କମ୍ପାନୀକୁ ଦାୟି କରିବା ସହ ଏକର ପିଛା ଚାଷୀଙ୍କୁ ୩ହଜାର ଲେଖାଏଁ କ୍ଷତିପୂରଣ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ୩ହଜାର ଟଙ୍କା  କ୍ଷତିପୂରଣ ରାଶି କଣ ଚାଷୀଙ୍କ ପାଇଁ ଯଥେଷ୍ଟ ।