ଚୁଆନଳୀକୁ ଭରଷା ଚୁଆ ପାଣି ! ପାନୀୟ ଜଳ ଅଭାବରୁ ପୋଖରୀ ପାଣିକୁ ଫୁଟାଇ ପିଉଛନ୍ତି ଗ୍ରାମବାସୀ

47

କନକ ବ୍ୟୁରୋ : ନିିର୍ବାଚନ ଆସିଲେ ନେତା ମନ୍ତ୍ରୀ ମାନେ ହୋଇଥାନ୍ତି ଗାଁ ମୁହାଁ । ଭୋଟ ହାତେଇବା ପାଇଁ ଭୋଟରମାନଙ୍କୁ ବିଭିନ୍ନ ପ୍ରଲୋଭନ ମଧ୍ୟ ଦେଖାଇଥାନ୍ତି । ଜିତିଲେ ଗାଁର ଏବଂ ଅଂଚଳର ବିକାଶ କରିବୁ କିନ୍ତୁ ନିର୍ବାଚନ ସରିଗଲା ପରେ ରାଜନେତଙ୍କର ଦେଖା ମିଳେନାହିଁ । ଆଉ ବିକାଶ ଠାରୁ ବହୁ ଦୁରରେ ରହିଯାଏ ଅନେକ ଗାଁ । ସେହିଭଳି ଏକ ଗାଁ ହେଉଛି ପାଲଲହଡ଼ାର ଚୁଆନଳୀ ଗାଁ ।

ପିଇବା ପାଣି ପାଇଁ ଚୁଆ ହେଉଛି ଗ୍ରାମବାସୀଙ୍କ ଏକମାତ୍ର ଭରଷା । ପୁଣି ଏହି ଚୁଆ ରହିଛି ଗାଁ ଠାରୁ ତିନ କିଲୋମିଟର ଦୂରରେ । ଆଦିବାସୀ ଅଧ୍ୟୁଷିତ ଏହି ଗାଁକୁ ରାସ୍ତାଟିଏ ମଧ୍ୟ ନାହିଁ । ୨୦ ବର୍ଷ ତଳେ ନିର୍ମିତ ହୋଇଥିବା ଏକ କାଠପୋଲ ଭାଙ୍ଗିଯାଇଛି ତାର ମଧ୍ୟ ମରାମତି ହୋଇନି । ଗାଁ ଲୋକେ ଜଙ୍ଗଲ ରାସ୍ତାରେ ଚାଲି ଯାତାୟତ କରିଥାନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ କଥା ତ ନ କହିବା ଭଲ ।

ଗାଁକୁ ଦେଖିଲେ ଲାଗୁଛି ବିକାଶ ବୋଧେ ଏଇଠି ଅଟକି ଯାଇଛି । କେବଳ ଏତିକି ନୁହଁ ଅନେକ ଅସୁବିଧାରେ ପାଠ ପଢୁଛନ୍ତି ଏହି ଗାଁରେ ରହୁଥିବା ଛାତ୍ରଛାତ୍ରୀ । ସରକାରୀ ଯୋଜନା କଣ ଏମାନେ ଜାଣନ୍ତି ନାହିଁ । ନିର୍ବାଚନ ଆସିଲେ ଏମାନଙ୍କର ଦ୍ୱାରସ୍ଥ ହୋଇଥାନ୍ତି ନେତା । ଜିତିଲେ ସବୁ ଅସୁବିଧା ଦୂର କରିଦେବୁ ବୋଲି ଦେଇଥାନ୍ତି ଅନେକ ମିଥ୍ୟା ପ୍ରତିଶ୍ରୁତି ।

ଆଉ ଏବେ ପୁଣି ଆସିଛି ନିର୍ବାଚନ ଋତୁ । ସେଥିପାଇଁ ଗାଁରେ ପାଦ ପଡିଛି ନେତାଙ୍କର । ଆଉ ସ୍ଥାନୀୟ ଶାସକ ଦଳକୁ ଦୋଷ ଦେଇଛନ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପି ପ୍ରାର୍ଥିନୀ । ନିର୍ବାଚନ ତ ସରିଯିବ, ଆଉ ନେତା ବି ଭୁଲିଯିବେ ଏହି ଗାଁକୁ ଆଉ ଦେଇଥିବା ପ୍ରତିଶ୍ରୁତିକୁ । ହେଲେ ଆଗକୁ ଦେଖିବାକୁ ବାକି ରହିଲା କେବେ ସୁଧୁରିବ ଚୁଆନଳୀ ଗାଁର ଅବସ୍ଥା ।