ନିର୍ବାଚନ ପରେ ଓଡ଼ିଶା ସୀମାରେ ଆନ୍ଧ୍ର କରୁଛି ପୋଲ ନିର୍ମାଣ । ସେପଟେ କୋଟିଆ ପାଇଁ ବଡ଼ ଡିଲ୍ ହୋଇଥିବା କହିଲେ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲପାଳ ଗଦାଧର ପରିଡ଼ା ।

95

କନକ ବ୍ୟୁରୋ: କୋଟିଆ ବିବାଦ ପଛରେ କେଉଁ ଶକ୍ତି ରହିଛି କି? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କିଛି ଏପରି ନୂଆ ତଥ୍ୟ ସାମ୍ନାକୁ ଆଣିଛନ୍ତି, ଯାହା ଚମକେଇ ଦେଲା ଭଳି …

ଆନ୍ଧ୍ର ସରକାର ଆଢୁଆଳରେ ଆଉ ଏକ ଶକ୍ତି କୋଟିଆ ଉପରେ ଆଖି ପକାଇଛି ବୋଲି ଗଦାଧର କହିଛନ୍ତି । କିଛି କଂପାନୀ କୋଟିଆ ପାଇଁ ବଡ ଡିଲ କରିଛନ୍ତି । କୋଟିଆର ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ଟଙ୍କା ଖଟାଇଛନ୍ତି । ସେମାନଙ୍କ ପାଣ୍ଠିରେ କୋଟିଆକୁ ନେଇ ପୁରା ରାଜନୀତି ଚାଲିଛି । ସେହି କଂପାନୀମାନେ ଓଡିଶାର ପାୱାର କରିଡରରେ ମଧ୍ୟ ଏନେଇ ଲବି କରୁଥିବା କହିଛନ୍ତି ଗଦାଧର ।

କୋଟିଆରେ ଆନ୍ଧ୍ରର ନିର୍ବାଚନ କଥାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଥିବା ବେଳେ ଗଣମାଧ୍ୟମରେ ବି ଆନ୍ଧ୍ର, ଓଡିଶାର ଗାଁ ଗୁଡିକ ମାଡି ବସିବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ କାହିଁକି ଆନ୍ଧ୍ର ଏଭଳି ଉଦ୍ୟମ କରୁଛି ସେ-କଥା ଆଗକୁ ଆସୁ ନାହିଁ । କିନ୍ତୁ କୋରାପୁଟର ଜିଲ୍ଲାପାଳ ରହିଥିବା ଗଦାଧର ପରିଡା ଏଭଳି ଚମକେଇଲା ଭଳି କଥା ସାମ୍ନାକୁ ଆଣିଛନ୍ତି ।

କେବଳ କୋରାପୁଟର କୋଟିଆ ନୁହେଁ, ରାୟଗଡା ଓ ଗଜପତି ଜିଲ୍ଲାର ସୀମାନ୍ତ ଅଂଚଳକୁ ପଶି ନିର୍ମାଣ କାମ ଚଳାଇଛି ଆନ୍ଧ୍ରପ୍ରଦେଶ । ରାୟଗଡାର ସାନଲୁକୁଟି ଗାଁ ନିକଟରେ ଓଡିଶାକୁ ନ ଜଣାଇ ଆନ୍ଧ୍ର ପୋଲ ନିର୍ମାଣ ଚଳାଇଛି । ସେହିପରି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଂଚଳରେ ଆନ୍ଧ୍ରର ଆଳତିପୁର ପଂଚାୟତରୁ ଓଡିଶା ଆଡକୁ ରାସ୍ତାର ସଂପ୍ରସାରଣ କରୁଛି । ଖବର ପାଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଂଚି ଉଭୟ ନିର୍ମାଣ କାମକୁ ବନ୍ଦ କରିଛନ୍ତି ।

ସେପଟେ କୋଟିଆ ବିବାଦକୁ ନେଇ ନେଇ ରାଜ୍ୟ ସରକାରଙ୍କୁ ଘେରାଉ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । କୋଟିଆ କଳିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଖଣ୍ଡପୀଠ ଆବେଦନର ଶୁଣାଣୀ କରି ପ୍ରତିଜବାବ ଦାଖଲ ପାଇଁ ଓଡିଶାକୁ ୪ ସପ୍ତାହର ମହଲତ ଦେଇଛନ୍ତି ।