ପଶ୍ଚିମବଙ୍ଗରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପଶ୍ଚିମବଙ୍ଗରେ ପରିବର୍ତ୍ତନ ଜରୁରୀ ।

151

କନକ ବ୍ୟୁରୋ: ଦେଶର ଅର୍ଥନୀତି ସମ୍ଭାଳୁଥିବା ପଶ୍ଚିମବଙ୍ଗରେ ଆଜି ଯୁବକମାନେ ରୋଜଗାର ନପାଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ଯୁବକଙ୍କୁ ରୋଜଗାର ଦେବା ପାଇଁ ଏଠାରେ ସରକାରଙ୍କୁ ପରିବର୍ତ୍ତନ କରିବା ସହିତ ମୋଦି ସରକାରଙ୍କୁ ସରକାରକୁ ଅଣାଯିବା ଜରୁରୀ । ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ସମେତ ଅନେକ ସ୍ଥାନରେ ଆୟୋଜିତ ପରିବର୍ତ୍ତନ ଯାତ୍ରାରେ ସାମିଲ ହୋଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ସଭ୍ୟତା, ଜୀବନ, ସ୍ୱାଧୀନତା ସଂଗ୍ରାମ, କଳା, ସାହିତ୍ୟ ଓ ସଂସ୍କୃତିରେ ପଶ୍ଚିମବଙ୍ଗର ସ୍ଥାନ ବହୁ ଉପରେ । ସେଠାରେ କିନ୍ତୁ ଅନେକ ସମସ୍ୟା ସହିତ ରୋଜଗାର ମୁଖ୍ୟ ସମସ୍ୟା ହୋଇଛି । ଅନେକ ଶିଳ୍ପ କାରଖାନା ଗୁଡିକ ବନ୍ଦ ହୋଇ ପଡିଛି । ଫଳରେ ରୋଜଗାର ନମିଳିବା କାରଣରୁ ସେଠାକାର ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ପଶ୍ଚିମବଙ୍ଗରେ ପରିବର୍ତ୍ତନ ଜରୁରୀ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ।

ଏଥିସହିତ ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶୃତିବଦ୍ଧ । ଏହି କାରଣରୁ ପୂର୍ବ ଭାରତ ଅନ୍ତର୍ଗତ ପଶ୍ଚିମବଙ୍ଗର ବିକାଶ ବିନା ସମଗ୍ର ଭାରତ ବର୍ଷର ବିକାଶ ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଭାରତର ବିକାଶ ପାଇଁ ପୂର୍ବୋଦୟ ମିଶନର ପରିକଳ୍ପନା କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଥିଲେ । ପଶ୍ଚିମବଙ୍ଗରେ ରୋଜଗାର ଦେଉଥିବା ସରକାର ଦରକାର ଓ ବିକାଶମୂଳକ କାମ କରୁଥିବା ସରକାର ଦରକାର ବୋଲି ସେ ନାରା ଦେବା ସହିତ ବିଜେପିର ପରିବର୍ତ୍ତନ ଯାତ୍ରା ସଫଳ ହେବ ଏବଂ ଏଠାକାରବାସୀ ନିଶ୍ଚୟ ବିଜେପି ଉପରେ ଭରସା କରିବେ ବୋଲି ସେ କହିଛନ୍ତି ।