ଯୋଗୀଙ୍କ ପାଇଁ ଅଗ୍ନିପରୀକ୍ଷା ! ଆଜି ଗୋରଖପୁର ଓ ଫୁଲପୁର ଲୋକସଭା ଆସନରେ ଉପନିର୍ବାଚନ

54

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ଖାଲି ପଡିଥିବା ଦୁଇଟି ଲୋକସଭା ଆସନ ପାଇଁ ଆଜି ନିର୍ବାଚନ । ଗୋରଖପୁର ଓ ଫୁଲପୁର ନିର୍ବାଚନମଣ୍ଡଳୀ ପାଇଁ ମତଦାନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀ ଆଦିତ୍ୟନାଥଙ୍କ ଗୋରଖପୁର ଆସନ ଏବଂ ଉପମୁଖ୍ୟମନ୍ତ୍ରୀ ହେବା ପରେ କେଶବ ମୌର୍ଯ୍ୟଙ୍କ ଫୁଲପୁର ଆସନ ଖାଲି ପଡିଥିଲା । ଆଜି ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏ ଚାଲିବ ଭୋଟ ଗ୍ରହଣ । ଆସନ୍ତା ୧୪ରେ ହେବ ଭୋଟ୍ ଗଣତି ।

ତେବେ ବିଜେପିର ଗଡ କୁହାଯାଉଥିବା ଏହି ଦୁଇଟି ସଂସଦୀୟ କ୍ଷେତ୍ରକୁ ଦଖଲ କରିବାକୁ ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଏହି ନିର୍ବାଚନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ ବୋଲି କୁହାଯାଉଛି । ଗୋରଖପୁର ପାଇଁ ବିଜେପି ଉପେନ୍ଦ୍ର ଶୁକ୍ଳାଙ୍କୁ ପ୍ରାର୍ଥୀ କରି ହିନ୍ଦୁତ୍ୱ ଭୋଟ ହାତେଇବାକୁ ଆଶା ରଖିଛି । ଅପରପକ୍ଷେ ସମାଜବାଦୀ ପାର୍ଟି ଓ ବହୁଜନସମାଜବାଦୀ ପାର୍ଟି ମଧ୍ୟରେ ମେଂଟ ହୋଇଛି । ଏହି ମେଂଟରେ ଭାଗୀଦାର ହେବାକୁ ଇଚ୍ଛା କରିଥିବା କଂଗ୍ରେସ କିନ୍ତୁ ସାମିଲ ହୋଇପାରିନାହିଁ । ବିଏସପିର ସମର୍ଥନରେ ସପାର ପ୍ରବୀଣ ନିଷଦ ଛିଡା ହୋଇଛନ୍ତି । ସେହିପରି ଫୁଲପୁରରେ ବିଜେପି କୌଶଳେନ୍ଦ୍ର ସିଂ ପଟେଲଙ୍କୁ ପ୍ରାର୍ଥୀ କରିଥିବାବେଳେ ସପାରୁ ନାଗେନ୍ଦ୍ର ସିଂ ଛିଡା ହୋଇଛନ୍ତି ।

ଏବେ ଆସନ୍ତୁ ଜାଣିବା ୟୁପି ଉପନିର୍ବାଚନ ଗୁରୁତ୍ୱପୂର୍ଣ୍ଣ କାହିଁକି । ଉଭୟ ଫୁଲପୁର ଓ ଗୋରଖପୁରରେ ଲଢେଇ ବିଜେପି ବନାମ ବିରୋଧୀ ହୋଇଛି । ଉଭୟ ଆସନରେ ସମାଜବାଦୀ ପାର୍ଟିକୁ ସମର୍ଥନ କରିଛି ବହୁଜନ ସମାଜ ପାର୍ଟି । ଗୋରଖପୁର ଉପନିର୍ବାଚନରେ ଏଥର ଐତିହାସିକ ବୋଲି ଏକପ୍ରକାର କହିବାକୁ ପଡିବ । ଗୋରଖପୁର ହେଉଛି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆସନ । ଏହି ଆସନରୁ ସେ ସାଂସଦ ଥିଲେ । ତାଙ୍କ ଇସ୍ତଫା ପରେ ଏଠାରେ ଉପନିର୍ବାଚନ ହେଉଛି । ଯୋଗୀ ଆଦିତ୍ୟନାଥ ବି ଏଠାରେ ଜୋରଦାର ପ୍ରଚାର କରିଛନ୍ତି । କଂଗ୍ରେସ କାହାକୁ ସମର୍ଥନ ନ କରି ଗୋରଖପୁରରେ ନିଜର ପ୍ରାର୍ଥୀ ଛିଡା କରାଇଛି । ୟୁପି ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ପରେ ଫୁଲପୁରରେ ଲୋକସଭା ଆସନରେ ଉପନିର୍ବାଚନ ହେଉଛନ୍ତି । ଉଭୟ ଆସନ ବିଜେପିର ଗଡ ହୋଇଥିବାରୁ ଏହି ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ୨୦୧୯ ପୂର୍ବରୁ ଏହାକୁ ସେମିଫାଇନାଲ କୁହାଯାଉଛି ।

ଏପଟେ ବିହାରରେ ମଧ୍ୟ ଆଜି ଉପନିର୍ବାଚନ । ଗୋଟିଏ ଲୋକସଭା ଆସନ ଓ ଦୁଇଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ଅରରିୟା ସଂସଦୀୟ କ୍ଷେତ୍ର ପାଇଁ ଭୋଟିଂ ଜାରି ରହିଥିବା ବେଳେ ଅନ୍ୟ ଦୁଇ ବିଧାନସଭା ଆସନରେ ମଧ୍ୟ ମତଦାନ ଜାରି ରହିଛି । ଏହି ନିର୍ବାଚନ ମୁଖନ୍ନ୍୍ରୀ ନୀତୀଶ କୁମାରଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ହୋଇଥିବା ବେଳେ ତେଜସ୍ୱୀ ଯାଦବଙ୍କ ରାଜନୈତିକ ଜୀବନର ପ୍ରଥମ ପରୀକ୍ଷା ବୋଲି କୁହାଯାଇପାରେ ।