କଟକରେ ପୁଣି ଏନକାଂଉଟର । କୁଆଖାଇ ବ୍ରିଜ ନିକଟରେ ମୁହାଁମୁହିଁ, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମଙ୍ଗୁ ଓ ଲିପୁ ଆହତ

97

କନକ ବ୍ୟୁରୋ: କଟକରେ ପୁଣି ଏନକାଉଂଟର । କଟକ ସଦର ଅଂଚଳରେ ପୁଣି ଏନକାଉଂଟର କରିଛି କମିଶନରେଟ୍ ପୋଲିସ । ଦୁର୍ଦ୍ଦାନ୍ତ ଅପରାଧୀ ମଙ୍ଗୁ ଓ ଲିପୁ ପୋଲିସ ଗୁଳିରେ ଆହତ ହୋଇଛନ୍ତି । ଏହି ଦୁଇ ଅପରାଧୀଙ୍କ ଜଙ୍ଘରେ ବାଜିଛି ଗୁଳି । ଆହତ ମଙ୍ଗୁ ଓ ଲିପୁକୁ ଏସସିବିରେ ଭର୍ତ୍ତି କରାଯାଇଛି ।

ସୁଚନା ମୁତାବକ, ମଙ୍ଗୁ ଓ ଲିପୁ ସଦର ଥାନା ଅନ୍ତର୍ଗତ କୁଆକାଖ ନଦୀରେ ଥିବା ଜାଣିପାରି କମିଶନରେଟ୍ ପୋଲିସ ଚଢ଼ାଉ କରିଥିଲା। ମାତ୍ର ସେମାନେ ପୋଲିସ ଉପରକୁ ଗୁଳି ଚଳାଇ ଥିଲେ । ଏହା ଜବାବରେ ପୋଲିସ ଗୁଳି ଚଳାଇ ଥିଲା । ଫଳରେ ମଙ୍ଗୁ ଓ ଲିପୁଙ୍କ ଗୁଡ଼ରେ ବାଜିଥିଲା ଗୁଳି । ପୋଲିସ ସେମାନଙ୍କୁ ଗିରଫ କରିବା ସହିତ ଉଭୟଙ୍କ ଠାରୁ ୧୫ ରାଉଣ୍ଡ ଅଫୁଟା ଗୁଳି ଓ ୨ଟି ମାଉଜର ସହ ୧୨ଟି ମୋବାଇଲ ଫୋନ ଜବତ କରିଛି ।

ସୂଚନାରୁ ପ୍ରକାଶ, ହୋଲି ଅବସରରେ ପ୍ରତାପନଗରୀ ଧାକୁଲେଇ ବିଦ୍ୟାପୀଠ ପଡ଼ିଆରେ ଭୋଜି ଚାଲିଥିଲା । ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଆସି ଭୋଜିକୁ ବିରୋଧ କରିବା ସହିତ ଅନ୍ଧାଧୂନ୍ ଗୁଳି ଚଳାଇ ଫେରାର ହୋଇଯାଇ ଥିଲେ । ଫଳରେ ୩ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।