ବାପାଙ୍କ ପରେ ପୁଅଙ୍କୁ ମିଳିଲା ବିଜେଡି ଟିକେଟ୍ । ପୁରୀରେ ସୁନୀଲ ମହାନ୍ତି, ଦିଗପହଣ୍ଡିରେ ବିପ୍ଳବ ପାତ୍ର ବିଧାୟକ ପ୍ରାର୍ଥୀ ।

760

କନକ ବ୍ୟୁରୋ: ନିର୍ବାଚନ ରଣାଙ୍ଗନ ପାଇଁ ଯୋଦ୍ଧା ଘୋଷଣା କରିଛି ବିଜେଡି । ଉଭୟ ଲୋକସଭା ସହିତ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ଏଥର କିଛି ବିଧାନସଭା ଆସନରେ ଦଳ ‘ବାପାଙ୍କ ବଦଳରେ ପୁଅ’ ତଥା ‘ମାଆଙ୍କ ବଦଳରେ ପୁଅ’ ଫର୍ମୁଲା ଆପଣାଇଥିବା ଦେଖିବାକୁ ମିଳିଛି । ପୁରୀ ସହିତ ଦିଗପହଣ୍ଡି ଓ ଚିକିଟି ଆସନରେ ଏହି ଫର୍ମୁଲାରେ ଦଳ ବାଣ୍ଟିଛି ବିଧାନସଭା ଟିକେଟ୍ ।

ପୁରୀର ବିଜେଡି ନେତା ମହେଶ୍ୱର ମହାନ୍ତିଙ୍କ ପରଲୋକ ପରେ, ଏବେ ତାଙ୍କ ଟିକେଟ୍ ମିଳିଛି ପୁଅ ସୁନୀଲ ମହାନ୍ତିଙ୍କୁ । ସୁନୀଲ ପୁରୀ ରାଜନୀତିରେ ବେଶ ଦଖଲ ରଖିଥିବାବେଳେ, ବାପାଙ୍କ ଅନୁପସ୍ଥିତିରେ ସଙ୍ଗଠନକୁ ମଧ୍ୟ ସଜାଡି ରଖିପାରିଛନ୍ତି । ତେଣୁ ତାଙ୍କ ନେତୃତ୍ୱ ନେବାର କୌଶଳକୁ ଦେଖି ସୁନୀଲଙ୍କ ଉପରେ ଭରସା କରିଛି ଦଳ । ମହେଶ୍ୱରଙ୍କ ଦେହାନ୍ତ ପରେ ଏବେ ପୁରୀରୁ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ସୁନୀଲ ମହାନ୍ତି । ତେବେ ଗତଥର ପୁରୀ ବିଧାନସଭା ଆସନ ବିଜେପି ହାତକୁ ଚାଲିଯାଇଥିଲା । ତେଣୁ ଏଥର ସୁନୀଲ ପୁଣିଥରେ ପୁରୀରେ ଶଙ୍ଖ ବାନା ଉଡାଉଛନ୍ତି କି ନାହିଁ ତା ଉପରେ ରହିବ ଫୋକସ୍ ।

ସେହିପରି ଦିଗପହଣ୍ଡିରୁ ଲଗାତାର ଭାବେ ନିର୍ବାଚିତ ହେଇଆସୁଥିବା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର ଦେହାନ୍ତ ପରେ, ଏବେ ତାଙ୍କର ପୁଅ ବିପ୍ଲବ ପାତ୍ରଙ୍କୁ ମିଳିଛି ବିଜେଡି ଟିକେଟ୍ । ବାପାଙ୍କ ପରେ ପୁଅକୁ ଭରସା କରିଛନ୍ତି ବିଜେଡି ସୁପ୍ରିମୋ । ତେବେ ପୁରୀରେ ସୁନୀଲ ମହାନ୍ତିଙ୍କ ପରେ ଦିଗପହଣ୍ଡିରେ ମଧ୍ୟ ବିପ୍ଲବଙ୍କର ବେଶ ପତିଆରା ରହିଛି, ସଙ୍ଗଠନକୁ ମଧ୍ୟ ସେ ସୁଦୃଢ କରିପାରିଛନ୍ତି । ତେଣୁ ସୂର୍ଯ୍ୟ ପାତ୍ରଙ୍କ ପରେ ଏବେ ପୁଅ ବିପ୍ଲବ ପାତ୍ରଙ୍କୁ ମିଳିଛି ବିଜେଡିର ବିଧାନସଭା ଟିକେଟ୍ ।

ସେପଟେ ଚିକିଟିର ବିଧାୟିକା ଥିବା ଉଷା ଦେବୀଙ୍କ ବଦଳରେ ଏଥର ତାଙ୍କ ପୁଅ ଚିନ୍ମୟ ସ୍ୱରୂପ ଦେବଙ୍କୁ ଟିକେଟ୍ ଦେଇଛନ୍ତି ବିଜେଡି ସୁପ୍ରିମୋ । ସେହିପରି ପାଟକୁରାରୁ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରିବନ୍ଦ ମହାପାତ୍ରଙ୍କୁ ମଧ୍ୟ ପ୍ରାର୍ଥୀ କରିଛି ବିଜେଡି । ତା ସହିତ ସୋରଡାର ବିଧାୟକ ଥିବା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବଦଳରେ ତାଙ୍କ ପତ୍ନୀ ସଂଘମିତ୍ରା ସ୍ୱାଇଁଙ୍କୁ ଟିକେଟ୍ ଦେଇଛି ବିଜୁ ଜନତା ଦଳ । ଖାଲି ସେତିକି ନୁହେଁ,  ପୂର୍ବତନ ମନ୍ତ୍ରୀ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତିଙ୍କୁ ମଧ୍ୟ କେନ୍ଦ୍ରାପଡା ଆସନରୁ ଲୋକସଭା ପ୍ରାର୍ଥୀ କରିଛି ବିଜେଡି ।