ଦିଗପହଣ୍ଡି ରାଜନୀତିରେ ବଡ ହଲଚଲ: କିଏ ଧରିବ ବିଜେଡିର ମଙ୍ଗ?

949

କନକ ବ୍ୟୁରୋ: ଗଂଜାମରେ ବିଜେଡିର ଗଡ ଦିଗପହଣ୍ଡି ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ଦୀର୍ଘ ୩ ଦଶନ୍ଧି ଧରି ଜିଲ୍ଲା ରାଜନୀତିରେ ପ୍ରଭାବ ରଖିଥିବା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ଗଡ କିଏ ସମ୍ଭାଳିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯନାରାୟଣ ପାତ୍ର ଅସୁସ୍ଥତା କାରଣରୁ ନିର୍ବାଚନୀ କ୍ଷେତ୍ରକୁ ଆସି ପାରୁ ନାହାଁନ୍ତି । ଆଉ ତାଙ୍କ ଉତରାଧିକାରୀ ହେବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି ।

୨୦୨୪ ନିର୍ବାଚନରେ ସୂର୍ଯ୍ୟପାତ୍ର ଦିଗପହଣ୍ଡି ବିଧାନସଭା ଆସନରୁ ନ ଲଢିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ସ୍ଥାନୀୟ ବିଜେଡି ଦୁଇଫାଳ ହୋଇଛି । ଗୋଟିଏ ପଟେ ସୂର୍ଯ୍ୟପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ସକ୍ରିୟ ରହିିଥିବା ବେଳେ ଚାରି ଚାରି ଥର ବ୍ଲକ ଅଧ୍ୟକ୍ଷ ରହିଥିବା ବିପିନ ପ୍ରଧାନ ବି ସଙ୍ଗଠନ ସଜାଡିବାରେ ବ୍ୟସ୍ତ ଅଛନ୍ତି ।

ଦିଗପହଣ୍ଡି ରାଜନୀତିରେ ବିପ୍ଳବ ବନାମ ବିପିନ ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇ ଜଣଙ୍କ ସମର୍ଥକ ମଧ୍ୟ ଅନେକ ସମୟରେ ମୁହାଁମୁହିଁ ହେଉଥିବା ଖବର ସାମ୍ନାକୁ ଆସୁଛି । ଗତ ପଂଚାୟତ ନିର୍ବାଚନରେ ବି ଦୁଇଗୋଷ୍ଠୀ ଅନେକ ସ୍ଥାନରେ ଅଲଗା ଅଲଗା ପ୍ରାର୍ଥୀ ଦେଇଥିଲେ । ଫଳରେ ନିର୍ବାଚନମଣ୍ଡଳୀରେ ବ୍ୟାପକ ହିଂସା ଦେଖାଦେଇଥିଲା । ଅନେକ ସ୍ଥାନରେ ବିଜେଡି ସମର୍ଥକ ମୁହାଁମୁହିଁ ହୋଇଥିଲେ ।

ଦିଗପହଣ୍ଡିରେ ବିପ୍ଲବ ପାତ୍ରଙ୍କ ଭଳି ଅନ୍ୟ ସ୍ଥାନରେ ବି ବରିଷ୍ଠ ନେତାଙ୍କ ପୁଅ ି ଆଗାମୀ ନିର୍ବାଚନ ପାଇଁ ସଜବାଜ ହେଉଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର, ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ, ରଜନୀକାନ୍ତ ସିଂଙ୍କ ପୁଅ ଅରୁଣଭ ସିଂ, ଉଷାଦେବୀଙ୍କ ପୁଅ ସ୍ୱରୂପ ଦେବ , ଅନନ୍ତ ଦାସଙ୍କ ପୁଅ ବିଶ୍ୱଜିତ ଦାସ ଓ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ।