ସାମାଜିକ ସ୍ୱୀକୃତି ପାଇଁ ଲଢେଇ: ଶାଶୂଘର ଦୁଆର ମୁହଁରେ ସ୍ତ୍ରୀର ଧାରଣା

402

କନକ ବ୍ୟୁରୋ: ସ୍ତ୍ରୀର ମାନ୍ୟତା ପାଇବା ପାଇଁ ଲଢେଇ । ସାମାଜିକ ସ୍ୱୀକୃତି ଦାବିରେ ଶାଶୂଘର ଦୁଆର ମୁହଁରେ ବସିଛନ୍ତି ତିନିତିନି ଜଣ ମହିଳା । ଭୋକଉପାସରେ ଘର ସାମନାରେ ନ୍ୟାୟ ଦାବିରେ ବସି ରହିଛନ୍ତି । ବ୍ରହ୍ମପୁର ବଡ ବଜାର ସାହିରେ କେ. ଦୀପିକା ନିଜ ଅଧିକାର ପାଇଁ ଲଢେଇ କରୁଛନ୍ତି । ସେପଟେ ପୁରୀ ବିଜୟରାମଚନ୍ଦ୍ରପୁରରେ ସାମାଜିକ ସ୍ୱୀକୃତି ଦାବିରେ ଶାଶୂଘର ଆଗରେ ଭୋକଉପାସରେ ବସି ରହିଛନ୍ତି ଶୁଭଲକ୍ଷ୍ମୀ ପ୍ରଧାନ । ସେହିପରି ସମ୍ବଲପୁର ନାକଟିଦେଉଳ ହିଁତସରା ଗାଁର ଯୁବତୀ ଅଲି ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି ।

ଅଧିକାର ପାଇଁ ଲଢେଇ । ସ୍ତ୍ରୀର ମାନ୍ୟତା ପାଇଁ ଶାଶୂଘର ଦୁଆର ମୁହଁରେ ଧାରଣା । ପୁରୀ ଜିଲ୍ଲାର ବିଜୟରାମଚନ୍ଦ୍ରପୁର ଜିରାଖଂଡି ଅଂଚଳର ଶୁଭଲକ୍ଷ୍ମୀ ପ୍ରଧାନ । ପୁଅକୁ ସାଙ୍ଗରେ ଧରି ନ୍ୟାୟ ଦାବିରେ ଶାଶୂଘର ବାହାରେ ଧାରଣାରେ ବସିଛନ୍ତି । ଶାଶୂଘରେ ରହିବାକୁ ଯାଇଥିଲେ ବି ତାଙ୍କୁ ଘରେ ପୁରାଇ ଦିଆଯାଉନି । ୨୦୧୫ରେ ପୁରୀ ରାମଚଣ୍ଡି ସାହିର ପ୍ରହଲ୍ଲାଦ ପ୍ରଧାନଙ୍କ ସହ ଶୁଭଲକ୍ଷ୍ମୀଙ୍କର ବୈଦିକ ରୀତିରେ ହୋଇଥିଲା ବିବାହ । ହେଲେ ଶାଶୂଘରେ ତାଙ୍କ ଉପରେ ହୋଇଥିଲା ନିର୍ଯାତନା । ଗର୍ଭବତୀ ଥିବାଅବସ୍ଥାରେ ସେ ବାପଘରକୁ ଚାଲିଯାଇଥିଲେ ।

ସମ୍ବଲପୁରରେ ବି ପ୍ରେମିକ ଘର ଆଗରେ ଧାରଣା
ସମ୍ପର୍କ ରଖିବା ପରେ ମିଳିଲା ପ୍ରତାରଣା
ସମ୍ବଲପୁର ନାକଟିଦେଉଳ ହିଁତସରା ଗାଁର ଯୁବତୀ ଅଲି ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି । ପ୍ରେମ ଓ ଶାରିରୀକ ସମ୍ପର୍କ ପରେ ବିବାହ ପ୍ରତିଶ୍ରୁତି ଦେଇ ଠକିଚାଲିଥିଲେ ଅଲିଙ୍କ ପ୍ରେମିକ । ଶେଷରେ ଅନ୍ୟ ଜାଗାରେ ବିବାହ ଯୋଜନା କରୁଥିବା ବେଳେ ଅଲିଙ୍କ ଅଭିଯୋଗରେ ଦୁଷ୍କର୍ମ ଓ ଠକେଇ ମାମଲାରେ ପ୍ରେମିକ ଗିରଫ ହୋଇଥିଲେ । ତେବେ ବିବାହ ପାଇଁ ରାଜି ହେବାରୁ ଜେଲରୁ ମୁକୁଳି ଆସିଥିଲେ ବି ପ୍ରେମିକ ଜଣକ ଆଉ ଧରାଛୁଆଁ ଦେଉନାହାଁନ୍ତି । ଫଳରେ ପ୍ରେମିକ ଘର ଆଗରେ କରିଧାରଣାରେ ବସିଛନ୍ତି ଅଲି ।

ବ୍ରହ୍ମପୁରରେ ଚର୍ଚ୍ଚାରେ ଦୀପିକାଙ୍କ ଧାରଣା
ମାସେରୁ ଅଧିକ ସମୟ ଧରି ହକ୍ ପାଇଁ ଲଢେଇ
ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଶାଶୂଘର ଆଗରେ ଧାରଣାରେ ବସିଛନ୍ତି । ବିବାହ ପ୍ରତିଶ୍ରୁତି ଦେଇ ଯୁବକ ଦୀନେଶ ତାଙ୍କୁ ଠକିଚାଲିଛନ୍ତି । ନିଜ ବର୍ଷକର ପିଲାକୁ ନ୍ୟାୟ ଦେବା ପାଇଁ ଶାଶୂ ଘର ସାମନାରେ ଧାରଣା ଦେଇଛନ୍ତି ଦୀପିକା ।