ଅମିତ୍ ଶାହାଙ୍କ ଗସ୍ତ ପରେ ସୁନୀଲ ବଂଶଲଙ୍କୁ ଦାୟିତ୍ୱ: ବିରୋଧୀ ଦଳ ନେତା କହିଲେ, ପାଇଛନ୍ତି ଭଲ କୋଚ୍, ଏବେ ଗୋଲ୍ କରିବାର ବେଳ 

105

କନକ ବ୍ୟୁରୋ: ହଟିଲେ ପୁରନ୍ଦେଶ୍ୱରୀ , ଆସିଲେ ବଂଶଲ । ସୋମବାରଦିନ ଓଡିଶା ଗସ୍ତରେ ଥିବାବେଳେ ଅମିତ ଶାହା  ରାଜ୍ୟରେ ଦଳର ସାଙ୍ଗଠନିକ ସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରି ଦଳୀୟ ନେତାଙ୍କୁ ତାଗିଦ କରିଥିଲେ ।  ଠିକ ଏହାର ଗୋଟିଏ ଦିନ ପରେ ବିଜେପିର ଓଡିଶା ପ୍ରଭାରୀ  ବଦଳିବାକୁ ରାଜନୈତିକ ଦୃଷ୍ଟିକୋଣରୁ  ବେଶ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।  ୨୦୨୨ ୟୁପି ବିଧାନସଭା ନିର୍ବାଚନରେ ବିଜେପି ବିଜୟ ପଛର ଅନତ୍ୟମ ନାୟକ ଥିଲେ ସୁନୀଲ ବଂଶଲ । ତାଙ୍କୁ ବିଜେପିରେ ଟାସ୍କ ମାଷ୍ଟର ବି କୁହାଯାଏ । ତେଣୁ ଅମିତ ଶାହାଙ୍କ ବିଶ୍ୱାସଯୋଗ୍ୟ ନେତାଙ୍କୁ ପ୍ରଭାରୀ କରିବା ଏକ ନୂଆ ରଣନୀତି ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି,  ଗୋଲ ମାରିବାର ସୁଯୋଗ ଆସିଛି ନିଶ୍ଚିୟ ଗୋଲ କରିବୁ ।  ବିଜେଡି କହିଛି, ଦଳ ଏଥିରେ ବିଚଳିତ ନୁହେଁ ।

କେବଳ ଓଡିଶା ନୁହେଁ , ବିଜେପି ଫୋକସରେ ଥିବା ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ସମ୍ଭାଳିବେ ସୁନୀଲ ବଂଶଲ । କୁହାଯାଉଛି, ନୂଆ ଟାର୍ଗେଟ ସହ ଓଡିଶା ଆସୁଛନ୍ତି ନୂଆ ପ୍ରଭାରୀ । ବିଜେଡି ବିରୋଧୀ ମୋର୍ଚ୍ଚାକୁ ଶକ୍ତିଶାଳୀ କରିବାକୁ ତାଙ୍କୁ ନିଯୁକ୍ତି ଦିଆଯାଇଛି ।

ବିହାରରେ ଏନଡିଏରୁ ଜେଡିୟୁ ଓହରିଯାଇଛି । ତେଣୁ କୁହାଯାଉଛି, ଏହା ବିଜେଡିକୁ ଅଧିକ ସୁହାଇବ । ପୂର୍ବରୁ ମଧ୍ୟ ବିେଜେଡି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ ଦେଇଆସିଛି । ବିହାର ଝଟକା ପରେ ସଂସଦରେ ବିଜେଡି ଭଳି ଦଳ ଉପରେ ଅଧିକ ଭରସା କରିବ ବିଜେପି । ତେଣୁ ବିଜେଡି ଉପରେ ବିଜେପି ଜୋରଦାର ଆକ୍ରମଣ କରିନପାରେ ବୋଲି ଚର୍ଚ୍ଚା ହେଉଛି ।

ବିହାର ପରିସ୍ଥିତି ପରେ  ଅଘୋଷିତ ସହଯୋଗୀ ଦଳକୁ  କୌଣସି ପରିସ୍ଥିତିରେ ଅସନ୍ତୁଷ୍ଟ କରିବାକୁ ଚାହିଁବେ ନାହିଁ  କେନ୍ଦ୍ର ବିଜେପି ନେତୃତ୍ୱ  । ଏଭଳି ସ୍ଥିତିରେ ସୁନୀଲ ବଂଶଲଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି ।