ଛିଡୁନି ଘର କଳି: ପିଏମ୍ ଆବାସ ଯୋଜନାରେ ସ୍ୱଚ୍ଛତା ଆଣିବାକୁ ତାଗିଦ କଲେ କେନ୍ଦ୍ରମନ୍ତ୍ରୀ

116

କନକ ବ୍ୟୁରୋ: ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱଚ୍ଛତା ନଥିବା କଥା କହିଛନ୍ତି କେନ୍ଦ୍ର ପଂଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ । ଦୁର୍ନୀତି ଓ ପାରଦର୍ଶୀତା ସହ ଯୋଜନାର କାର୍ଯ୍ୟାନ୍ୱୟନ କରାଯାଇନଥିବାରୁ ଅନେକ ହିତାଧିକାରୀ ଘର ପାଇବାରୁ ବଂଚିତ ହୋଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ଭାବେ ପଦକ୍ଷେପ ନେଲେ ରାଜ୍ୟର ସମସ୍ତ ହିତାଧିକାରୀଙ୍କ ମୁଣ୍ଡ ଉପରକୁ ଛାତ ମିଳିପାରିବ ବୋଲି କହିଛନ୍ତି ଗିରିରାଜ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାର ଦାବି ନେଇ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ପଂଚାୟତରାଜି ମନ୍ତ୍ରୀ ପ୍ରଦୀପ ଅମାତ ଭେଟିବା ପରେ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଗିରିରାଜ । କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଭାଗୀୟ ସଚିବଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଅଧିକ ୮ ଲକ୍ଷ ଘର ମିଳିବା ନେଇ ଆଲୋଚନା ହୋଇଛି । ସେପଟେ ପ୍ରଦୀପ ଅମାତ ମଧ୍ୟ ସ୍ୱଚ୍ଛତା କଥା କହି ମୁଖ୍ୟମନ୍ତ୍ରୀ ଦୁର୍ନୀତିଖୋର ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ।

ପୂର୍ବରୁ ଏହି ପ୍ରସଙ୍ଗରେ ଆବାସ ପ୍ଲସ ପୋର୍ଟାଲ ଖୋଲିବା ନେଇ ଗିରିରାଜଙ୍କୁ ଭେଟି ଦାବିପତ୍ର ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ରାଜ୍ୟସଭାରେ ବିଜେଡି ସାଂସଦ ମମତା ମହନ୍ତ ମଧ୍ୟ ସମାନ କଥା ଉଠାଇଥିଲେ । ୨୦୧୮ରେ ଘୋଷଣା ହୋଇଥିବା ଏହି ଯୋଜନାରେ ୨୦୨୩ ସୁଦ୍ଧା ଦେଶର ସମସ୍ତ ଗରିବଙ୍କ ମୁଣ୍ଡ ଉପରକୁ ଛାତ ଦେବେ ବୋଲି କେନ୍ଦ୍ର ସରକାର କହିଥିଲେ । ବୈଠକ ପରେ ଧର୍ମେନ୍ଦ୍ର କହିଛନ୍ତି, କାମ କିଭଳି ତ୍ୱରିତ ହେବ, ପାରଦର୍ଶିତ ରହିବ ସେ ଦିଗରେ ଧ୍ୟାନ ଦିଆଯିବା ଦରକାର । ଅନ୍ୟପଟେ ଏହି ଯୋଜନାର ଅବଧିକୁ ଡିସେମ୍ବର ୩୧ ୨୦୨୪ ଯାଏ ବଢାଇ ଦେଇଛନ୍ତି କେନ୍ଦ୍ର ସରକାର ।