ଆଫଗାନବାସୀଙ୍କୁ ଉଦ୍ଧାର ବେଳେ ଆମେରିକା ସେନାକୁ ସହାୟତା କରିଥିଲା କିଏ ? ଖୋଜି ଖୋଜି ପ୍ରତିଶୋଧ ନେଉଛି ତାଲିବାନ ସେନା

ସେପଟେ ପ୍ରତିବାଦକାରୀଙ୍କୁ ଦେଖିଲା ମାତ୍ରେ ରାସ୍ତା ଉପରେ ମାଡ

610

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ କବଜାକୁ ନେବା ପରେ ଏପରି ଅନେକ ଚିତ୍ର ସାମ୍ନାକୁ ଆସୁଛି । ଆଫଗାନିସ୍ତାନ ବାସୀଙ୍କୁ ଆମେରିକା ସେନା ଖସାଇ ନେବାରେ କେଉଁମାନେ କରିଥିଲେ ସହାୟତା, ଏବେ ସେହି ମାନଙ୍କୁ ଖୋଜୁଛନ୍ତି ତାଲିବାନୀ ସୈନିକ । ଅର୍ନ୍ତଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କରେ ଏକାଧିକ ଖବର ପ୍ରକାଶ ପାଇଛି । ସୂଚନା ଅନୁସାରେ ଘର ଘର ବୁଲି ଏଭଳି ଲୋକଙ୍କୁ ଖୋଜୁଛନ୍ତି ତାଲିବାନୀ । ଆଉ ହାବୁଡରେ ପଡିଲେ ନେଉଛନ୍ତି ପ୍ରତିଶୋଧ ।

ଏଭଳି ଦୁଇଟି ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଗୋଟିଏରେ ଜଣେ ପ୍ରତିବାଦକାରୀ ଦେହରେ ଓ ମୁଣ୍ଡରେ ଆଫଗାନିସ୍ତାନର ଜାତୀୟ ପତାକା ଗୁଡାଇ ରାସ୍ତାରେ ଯାଉଥିବା ବେଳେ ଅଚାନକ ଗାଡିରୁ ଓହ୍ଳାଇ ଧରି ପକାଉଛନ୍ତି ସଶସ୍ତ୍ର ତାଲିବାନୀ । ସେହିଠାରୁ ପତକା ଛଡାଇ ମାଡ ଉପରେ ମାଡ କସି ଦେଇଯାଉଛନ୍ତି । ଅନ୍ୟ ଏକ ଭିଡିଓରେ ମଧ୍ୟ ଜଣେ ସାଧାରଣ ନାଗରିକଙ୍କ ଉପରେ ରାସ୍ତାରେ ଅତ୍ୟାଚାର କରୁଛନ୍ତି ତାଲିବାନୀ ।

ଗୋଟିଏ ପଟେ ତାଲିବାନୀଙ୍କ ଜୁଲମ ଓ ଅନ୍ୟପଟେ ସାଧାରଣ ଆଫଗାନବାସିନ୍ଦାଙ୍କ ପ୍ରତିବାଦ । କିଛି ଦିନ ତଳେ ପ୍ରତିବାଦକାରୀ ଜଲାଲାବାଦରେ ଶୋଭାଯାତ୍ରା କରି ଏକ ଚୌଛକିରେ ଜାତୀୟ ପତକା ଲଗାଉଥିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା । ତାଲିବାନୀଙ୍କ ଅତ୍ୟାଚାର ଭିତରେ ପୁଣି କିଛି ଅଟୋ ଚାଳକଙ୍କ ପ୍ରତିବାଦ ସାମ୍ନାକୁ ଆସିଛି । ହାତରେ ଅସ୍ତ୍ରଶସ୍ତ୍ର ଧରି ରାସ୍ତାରେ ଆତଙ୍କବାଦୀ ବୁଲୁଥିଲେ ମଧ୍ୟ ସେମାନଙ୍କୁ ଡରି ନଯାଇ ଜାତୀୟ ପତାକା ଧରି ପ୍ରତିବାଦ କରୁଛନ୍ତି ସାଧାରଣ ଅଟୋ ଚାଳକ ।

କତାରରେ ଥିବା ଆମେରିକା ଏୟାରବେସର ଦୃଶ୍ୟ ସାମ୍ନାକୁ ଆସିଛି । ଆଫଗାନିସ୍ତାନର ରାଜଧାନୀ କାବୁଲରୁ ଏହି ଲୋକମାନେ ଆମେରିକାର ପରିବହନ ବିମାନରେ ଆସିଛନ୍ତି । ଅଗଷ୍ଟ ୧୫ରେ ତାଲିବାନୀଙ୍କ କାବୁଲ ଆକ୍ରମଣ ପରେ ଏମାନେ ଜୀବନ ବିକଳରେ ଦେଶ ଛାଡିଥିଲେ । ହେଲେ ଏବେ କେଉଁଆଡେ ଯିବେ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି । ନିଜ ଦେଶ ସିନା ଛାଡି ଚାଲିଆସିଲେ, ଏତେ ସଂଖ୍ୟାରେ ଲୋକଙ୍କୁ କିଏ ଆଶ୍ରୟ ଦେବ । ତାହାହିଁ ସବୁଠାରୁ ବଡ ପ୍ରଶ୍ନ ।