କାହିଁକି ଶ୍ରୀଗୁଣ୍ଡିଚା ମନ୍ଦିର ଯାଆନ୍ତି ମହାପ୍ରଭୁ, କ’ଣ କହେ କିମ୍ବଦନ୍ତୀ ?

314

ଆଉ ମାତ୍ର କେଇଟା ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବା ଘୋଷଯାତ୍ରା । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଂଚଳ ହୋଇଉଠିଛି । ଜୋରସୋରରେ ଚାଲିଛି ରଥକାମ । ରଥଯାତ୍ରା ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଦିନ ପାଳିତ ହୋଇଥାଏ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ ।

ଶ୍ରୀମନ୍ଦିର ସହ ଜଡିତ ଶ୍ରୀଗୁଣ୍ଡିଚା ମନ୍ଦିରର ଐତିହ୍ୟ । ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିର ପରେ ଏହି ମନ୍ଦିରର ବେଶ୍ ମହତ୍ୱ ରହିଥାଏ । ଘୋଷଯାତ୍ରାରେ ମହାପ୍ରଭୁ ବୁଲି ଯାଇଥାନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର । ଏହି ମନ୍ଦିରରେ ମହାପ୍ରଭୁ ୭ଦିନ ବିତାଇବା ପରେ ବାହୁଡିଥାନ୍ତି ଶ୍ରୀମନ୍ଦିର । ତେବେ ଏହି ମନ୍ଦିର ଶ୍ରୀଜିଉଙ୍କ ଜନ୍ମବେଦୀ ଓ ଆଡପ ମଣ୍ଡପ ବୋଲି ବିବେଚନା କରାଯାଏ ।

ଏହି ଜନ୍ମବେଦୀରେ ମହାପ୍ରଭୁଙ୍କ ବିଗ୍ରହ ନିର୍ମିତ ହୋଇଥିଲା ବୋଲି କଥିତ ଅଛି । କିମ୍ବଦନ୍ତୀ ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ରାଣୀ ଗୁଣ୍ଡିଚା ଦେବୀଙ୍କ ନାମ ଅନୁସାରେ ଏହି ମନ୍ଦିର ନାମିତ ହୋଇଛି । ଗୁଣ୍ଡିଚା ଦେବୀ ଥିଲେ ଇନ୍ଦ୍ରଦ୍ୟୁମ୍ନ ମହାରାଜଙ୍କ ସହଧର୍ମିଣୀ । ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥଙ୍କୁ ନୀଳାଦ୍ରୀରେ ପ୍ରତିଷ୍ଠା କରିସାରିବା ପରେ ଗୁଣ୍ଡିଚା ଦେବୀ ରଥଯାତ୍ରାର ଆୟୋଜନ କରିଥିଲେ । ତେଣୁ ଗୁଣ୍ଡିଚା ଦେବୀଙ୍କୁ ମନେ ରଖିବା ପାଇଁ ରଥଯାତ୍ରାକୁ ଗୁଣ୍ଡିଚା ଯାତ୍ରା ମଧ୍ୟ କୁହାଯାଏ । ରଥଯାତ୍ରାରେ ଜଗନ୍ନାଥ ଯେଉଁ ସ୍ଥାନକୁ ଯାଆନ୍ତି ତାକୁ ଗୁଣ୍ଡିଚାଘର ଓ ଯେଉଁ ମଣ୍ଡପରେ ଅବସ୍ଥାନ କରନ୍ତି ତାହାକୁ ଗୁଣ୍ଡିଚା ମଣ୍ଡପ କୁହାଯାଏ  । ଗୁଣ୍ଡିଚା ଘର ସହିତ ଜଗନ୍ନାଥଙ୍କ ସମ୍ପର୍କ ଅତି ଘନିଷ୍ଠ । ରାଣୀ ଗୁଣ୍ଡିଚାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ମହାପ୍ରଭୁ ୭ ଦିନ ପାଇଁ ଘୋଷଯାତ୍ରାରେ ଆସିଥାନ୍ତି ବୋଲି କୁହାଯାଏ । ଏହି ମନ୍ଦିରଟି ଅତୀତ କଳିଙ୍ଗ ଭାସ୍କର୍ଯ୍ୟର ଅତି ସୁନ୍ଦର ପ୍ରତିରୂପ ।

jagannath-rath-yatra

ମନ୍ଦିରଟି ବିମାନ, ଜଗ ମୋହନ, ନାଟ ମଣ୍ଡପ ଓ ଭୋଗ ମଣ୍ଡପ ଏହି ଭଳି ୪ଟି ବିଭାଗରେ ବିଭକ୍ତ ହୋଇଛି । ତିନୋଟି ଦ୍ୱାର ଥିବା ଏହି ମନ୍ଦିରର ଉଚ୍ଚତା ୭୫ ଫୁଟ୍ ହୋଇଥିବାବେଳେ ଲମ୍ବ ୪୩୦ ଫୁଟ୍ । ରଥଯାତ୍ରାରେ ଆସିଥିବା ମହାପ୍ରଭୁ ମନ୍ଦିରର ସିଂହଦ୍ୱାର ଦେଇ ପ୍ରବେଶ କରିଥାନ୍ତି ଓ ବାହୁଡା ଅବସରରେ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବାର ପରମ୍ପରା ରହିଛି । ସେଥିପାଇଁ ବାହୁଡା ଯାତ୍ରା ଅବସରରେ ସିଂହଦ୍ୱାରରେ ଥିବା ରଥ ଗୁଡିକୁ ଦକ୍ଷିଣ ମୋଡ କରି ନାକଚଣା ଦ୍ୱାରକୁ ନିଆ ଯାଇଥାଏ ।