ଗୁଜୁରାଟ ପରେ ଏବେ କେଜ୍ରିୱାଲଙ୍କ ଫୋକସରେ ପଞ୍ଜାବ । ଜୁନ ୨୧ ରେ ପଞ୍ଜାବ ଗସ୍ତ କରିବେ ଅରବିନ୍ଦ । ଦଳରେ ସାମିଲ ହୋଇପାରନ୍ତି ପୂର୍ବ ଆଇପିଏସ୍ ଅଫିସର

117

କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜୁନ ୨୧ ଅର୍ଥାତ ଆସନ୍ତା କାଲି ପଞ୍ଜାବ ଗସ୍ତ କରିବେ । ଗତ ୩ ମାସ ମଧ୍ୟରେ କେଜ୍ରିୱାଲଙ୍କର ଏହା ଦ୍ୱିତୀୟ ପଞ୍ଜାବ ଗସ୍ତ । ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ ଥିବାବେଳେ ଅରବିନ୍ଦଙ୍କ ଏଭଳି ପଞ୍ଜାବ ଗସ୍ତକୁ ନେଇ ପଞ୍ଜାବ ରାଜନୀତି ସରଗରମ ହେଉଛି ।
କେଜ୍ରିୱାଲ ପଞ୍ଜାବ ଗସ୍ତ କରିବା ପୂର୍ବରୁ ପଞ୍ଜାବୀ ଭାଷାରେ ଏକ ଟ୍ୱିଟ୍ କରି କହିଛନ୍ତି କି, “ପଞ୍ଜାବ ବିକାଶ ଚାହୁଁଛି, ଏହି ବିକାଶ କେବଳ ଆମ୍ ଆଦମୀ ପାର୍ଟି ଦେଇ ପାରିବ, ” ।

କୁହାଯାଉଛି କି, ଏହି ଗସ୍ତ ବେଳେ କିଛି ଅବସରପ୍ରାପ୍ତ ଆଇପିଏସ ଅଫିସର କେଜ୍ରିୱାଲଙ୍କ ଉପସ୍ଥିତିରେ ପାର୍ଟିରେ ଯୋଗ ଦେଇପାରନ୍ତି । ସେମାନଙ୍କ ମଧ୍ୟରେ କୁମ୍ବର ବିଜୟ ପ୍ରତାପ ସିଂଙ୍କ ନାମ ସର୍ବାଗ୍ରେ ରହିଛନ୍ତି ।

କହିରଖୁ କି ସାଧାରଣ ନିର୍ବାଚନ ବେଳେ ପଞ୍ଜାବରୁ ଗୋଟିଏ ଏମପି ଆସନ ଜିତିବାରେ ସଫଳ ହୋଇଥିଲେ ବି ୨୦୧୪ ତୁଳନାରେ ରାଜ୍ୟରେ ଆମ୍ ଆଦମୀ ପାର୍ଟିର ଭୋଟ ହାର ବୃଦ୍ଧି ପାଇଥିଲା । ୨୦୧୪ ବିଧାନସଭା ନିର୍ବାଚନରେ ଆପ୍ ପଞ୍ଜାବରେ ଭଲ ପ୍ରଦର୍ଶନ କରିଥିଲା । ମୋଟ ୧୧୭ ଆସନ ବିଶିଷ୍ଠ ପଞ୍ଜାବ ବିଧାନସଭାରେ ପ୍ରଥମଥର ନିର୍ବାଚନ ଲଢି ଆମ୍ ଆଦମୀ ପାର୍ଟି ୨୦ ଜଣ ବିଧାୟକଙ୍କୁ ବିଜୟୀ କରାଇଥିଲା ।

ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ କଂଗ୍ରେସ ଭିତରେ ଫାଟ, ଏନଡିଏରୁ ଶିରୋମଣୀ ଅକାଳୀଦଳ ବାହାରି ମୟାବତୀଙ୍କ ସହିତ ମେଣ୍ଟକରିବା ପରେ ତା’ର ଫାଇଦା ଉଙ୍ଖାଇବାକୁ କେଜ୍ରିୱାଲ ଅଣ୍ଟା ଭିଡିଛନ୍ତି ।