ଖରିଫ ଚାଷ ଆରମ୍ଭ ହେଲାଣି ହେଲେ ଏଯାଏଁ ବିକ୍ରି ହୋଇନି ରବି ଧାନ । ବର୍ଷାରେ ଓଦା ହୋଇଗଲା ବରଗଡ କ୍ୱିଂଟାଲ କ୍ୱିଂଟାଲ ଧାନ । ଗଜା ଧାନକୁ କିଣିବ କିଏ ତାକୁ ନେଇ ଚିନ୍ତାରେ ଚାଷୀ ।

236

କନକ ବ୍ୟୁରୋ: ବର୍ତ୍ତମାନ ଚାଷୀ ଖରିଫ ଋତୁ ଧାନ ଚାଷ ପାଇଁ ସଜବାଜ ଆରମ୍ଭ କରିଦେଇଥିବା ବେଳେ ଏହି ସମୟରେ ବିଭିନ୍ନ କାରଣ ରୁ ରବି ଋତୁ ର ଧାନ ବିକ୍ରି କରିପାରି ନାହିଁ । ଏବେ ମୌସୁମୀ ଜନିତ ଲଗାଣ ବର୍ଷା ଯୋଗୁ ବିଲରେ ଓ କ୍ଷେତରେ ପଡିଥିବା ଧାନ ଗଜା ହୋଇଯାଇଛି,ଏପରି ସମୟରେ ମଣ୍ଡିରେ ପଡିଥିବା ଧାନ ଶୀଘ୍ର ଉଠାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗେଇ ଦେବା ପାଇଁ ଦାବି ହୋଇଛି । ତେବେ ଜିଲ୍ଲା ଯୋଗାଣ ଅଧିକାରୀ ବର୍ଷା ଭିଜା ଧାନକୁ ଅତିଶୀଘ୍ର ଉଠାଯିବ ବୋଲି କହିଛନ୍ତି ।

ରବି ଯାଇ ଖରିଫ ଋତୁ ଆସିଲାଣି। ହେଲେ ଏଯାଏଁ ରବି ଧାନ ବିକ୍ରି ହୋଇ ପାରିନାହିଁ । ବିକ୍ରି ନହୋଇ ମଣ୍ଡିରେ ଧାନ ବସ୍ତା ଖୋଲା ଆକାଶ ତଳେ ପଡି ରହିଛି । ବର୍ଷାରେ ଭିଜି ଧାନ ସବୁ ଗଜା ହୋଇ ଯାଇଛି । ଯାହା ବରଗଡ ଜିଲ୍ଲାର ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି । ମଣ୍ଡିରେ ଧାନ ଭିଜି ଗଜା ହୋଇଯାଇଛି । ଏହି ଧାନ ସବୁ ବିକ୍ରି ହେବ କି ନାହିଁ ସେନେଇ ଚାଷୀ ଚିନ୍ତିତ ଥିବା ବେଳେ କଟନୀ ଛଟନୀ ବ୍ୟାପକ ହେବାର ସମ୍ଭାବନା ରହିଛି ।

ଚଳିତ ବର୍ଷ ବରଗଡ ଜିଲ୍ଲାରୁ ୫୦ ଲକ୍ଷ ୫୮ ହଜାର ୮୩୧ କ୍ୱିଂଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଯାଏଁ ୪୫ ଲକ୍ଷ ୩୯ ହଜାର କ୍ୱିଂଟାଲ ଧାନ କିଣାଯାଇଛି । ଏବେ ମଧ୍ୟ ବିଭିନ୍ନ ମାର୍କେଟୟାଡ ଗୁଡିକରେ ଲକ୍ଷାଧିକ କ୍ୱିଂଟାଲ ଧାନ ବିକ୍ରି ଅପେକ୍ଷାରେ ରହିଛି । ହେଲେ ଯୋଗାଣ ବିଭାଗର ଅବହେଳା ଯୋଗୁଁ ଧାନ ସବୁ ବର୍ଷାରେ ଭିଜି ଗଜା ହୋଇଯାଇଛି । ସେପଟେ ଖୁବ୍ଶୀଘ୍ର ଧାନ କିଣାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଆଗକୁ ଆହୁରି ଅଧିକ ବର୍ଷା ହେଲେ ଧାନ ପୁରା ନଷ୍ଟ ହୋଇଯିବାର ଆଶଙ୍କା ରହିଛି ।