ଜଳଖିଆ ବିକୁଥିବା ବିକାଶ, ମାଟ୍ରିକରେ ରଖିଛନ୍ତି ଏ-ୱାନ୍ ଗ୍ରେଡ୍। ଭଙ୍ଗା ଘରୁ ଦେଖୁଛନ୍ତି ଡାକ୍ତର ହେବାର ସ୍ୱପ୍ନ, ଉଚ୍ଚଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ।

133

କନକ ବ୍ୟୁରୋ: ଇଛା ଶକ୍ତି ଥିଲେ ସବୁ ସମ୍ଭବ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବେଗୁନିଆପଡା ବ୍ଲକ କେ.ରାଣୀପଡାର ବିକାଶ ସାହୁଙ୍କ କ୍ଷେତ୍ରରେ । ବିକାଶ ଗାଁ ଗାଁ ବୁଲି ଠେଲା ଗାଡିରେ ଜଳଖିଆ ବିକି ପରିବାର ପ୍ରତିପୋଷଣ କରିଥାନ୍ତି । ଏହାସହ ପାଠପଢା ମଧ୍ୟ ଜାରି ରଖିଥାନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୩୨ ମାର୍କ ରଖି ଏ-୧ ଗ୍ରେଡ୍ ରଖି ସଫଳତା ପାଇଛନ୍ତି ବିକାଶ । ୨୦୧୭ରେ ବାପାଙ୍କ ମୃତ୍ୟ ପରେ ମାଆ ଓ ଭଉଣୀ ମୁହଁରେ ଦାନା ଦେବା ପାଇଁ ଅଣ୍ଟା ଭିଡିଛନ୍ତି ଦୁଇ ଭାଇ ବିକାଶ ଓ ଆକାଶ । ଘରେ ମା’ ଜଳଖିଆ ତିଆରି କରି ଦିଅନ୍ତି, ଦୁଇ ଭାଇ ଗାଁକୁ ଗାଁ ବୁଲି ବିକ୍ରି କରିଥାନ୍ତି । ସେଥିରେ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ । ଏହାରି ଭିତରେ କିନ୍ତୁ ପାଠ ପଢିବା ପାଇଁ ଦୁହିଁ ଭାଇଙ୍କ ମନରେ ଅଦମ୍ୟ ଇଛା ଶକ୍ତି ରହିଛି । ହେଲେ ପେଟ ପାଇଁ ଦାନା ଯୋଗାଡ କରୁ କରୁ ପାଠ ପଢିବାରେ ସମସ୍ୟା ହେଉଥିଲା ।

ଗତବର୍ଷ ଏପ୍ରଲ ମାସରେ କନକ ନ୍ୟୁଜରେ ବିକାଶ-ଆକାଶଙ୍କ ସଂପର୍କରେ ଖବର ପ୍ରସାରଣ ପରେ ବିପଦର ବନ୍ଧୁ ନାମକ ଏକ ସାମାଜିକ ସଙ୍ଗଠନ ସହଯୋଗର ହାତ ବଢାଇଥିଲା । ତା ପରଠୁ ବିକାଶ ଠେଲା ଗାଡିରେ ଜଳିଖିଆ ବିକ୍ରି କରିବା ସହ ପାଠ ପଢିଥିଲେ । ଆଉ ଚଳିତ ବର୍ଷ ମେଟ୍ରିକ ପରିକ୍ଷାରେ ବିକାଶ ୮୮ ପ୍ରତିଶତ ମାର୍କ ରଖି ପାସ କରିଛନ୍ତି । ବିକାଶ ବର୍ତମାନ ଉଚ୍ଚଶିକ୍ଷା କରି ଡାକ୍ତର ହେବା ପାଇଁ ଆଶା ରଖିଥିବା ବେଳେ ଅର୍ଥ ବାଧକ ସାଜିଛି । ତେବେ ବିପଦର ବନ୍ଧୁର ସଦସ୍ୟ ବିକାଶଙ୍କୁ ପାଠ ପଢିବା ପାଇଁ ସହାଯ୍ୟ ଯୋଗାଇଦେବ ବୋଲି କହିଛନ୍ତି ।