ଶିବଙ୍କୁ ପାଣି ଢାଳିବାକୁ ଆସି ଆରପାରିକୁ ଚାଲିଗଲେ ବାପା: ଏବେ ଅସ୍ଥି ଧରି ବାପାଙ୍କ ମୃତ୍ୟୁର ନ୍ୟାୟ ମାଗୁଛନ୍ତି ପୁଅ

201

କନକ ବ୍ୟୁରୋ: ପାଣି ଢାଳିବାକୁ ଆସି ନିଖୋଜ ହୋଇଗଲେ ବାପା । ବହୁ ଖୋଜାଖୋଜି ପରେ ଜୀବିତ ଅବସ୍ଥାରେ ବାପା ମିଳିଲେ ନାହିଁ, ପୁଅଙ୍କୁ ମିଳିଲା ବାପାଙ୍କ ଅସ୍ଥି । ଏବେ ଅସ୍ଥି ଧରି ବାପାଙ୍କ ମୃତ୍ୟୁ ରହସ୍ୟ ଖୋଜିଛୁ ପୁଅ । ଆଉ ବାପା କେମିତି ମଲେ ତାହା ଜାଣିବା ପାଇଁ ଭୁବନେଶ୍ୱରରେ ଘୁରି ବୁଲୁଛି ପୁଅ । ଏହି ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି ।

ବାପାର ଅସ୍ଥିକୁ ଧରି ରାଜଧାନୀରେ ନ୍ୟାୟ ଖୋଜୁଛି ପୁଅ । ବାପାଙ୍କୁ ହରାଇବାର କୋହକୁ ଛାତିରେ ଚାପି ରଖି, ତାଙ୍କର କେମିତି ମୃତ୍ୟୁ ହେଲା ତାର ରହସ୍ୟ ଖୋଜି ବୁଲୁଛି । ଏ ହେଉଛନ୍ତି କେନ୍ଦୁଝର ହାଟଡିହି ବ୍ଲକ ଅକରୁଆ ଗାଁର ଅପୂର୍ବ ଜେନା । ବୋଲବମ ପାଣି ଢ଼ାଳିବାକୁ ଆସି ବାପା ମୋହନ ଜେନାଙ୍କ ଅଚାନକ ମୃତ୍ୟୁ ହୋଇଯିବା ପରେ ଏହାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତିି ପୁଅ । ପୋଲିସ ବି ମୃତ୍ୟୁର ସଠିକ୍ କାରଣ କହି ପାରିନାହିଁ । ଯାହା ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି । ଶେଷରେ ଉପାୟ ନପାଇ ନ୍ୟାୟ ପାଇ ରାଜଧାନୀର ରାସ୍ତାରେ ବାପାର ଅସ୍ଥି ଧରି ବୁଲୁଛି ପୁଅ ।

ପୁଅର କହିବା ଅନୁସାରେ ଗତ ୨୯ ତାରିଖରେ ଗାଁର ଅନ୍ୟମାନଙ୍କ ସହ ବାପା ମୋହନ ଜେନା ବୋଲବମରେ ପାଣି ଭାର ନେଇ ଆସିଥିଲେ । ଗଞ୍ଜାମ ପଂଚମହାଦେବଠାରେ ଜଳଲାଗି କରିଥିଲେ । ତାପରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଚାଲି ଆସିଥିଲେ । ହେଲେ, ବ୍ୟାଗ ହଜିଯିବାରୁ ସେ ରହିଯାଇଥିଲେ । ଆଉ ଅନ୍ୟମାନେ ଗାଁକୁ ଫେରି ଆସିଥିଲେ । ବାପା ନଫେରିବାର ଦୁଇ ପୁଅ ତାଙ୍କୁ ଖୋଜି ଖୋଜି ପୁରୀରେ ପହଁଚିଥିଲେ । ମଙ୍ଗଳବାର ପୁରୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ନିଖୋଜ ମାମଲା ବି ରୁଜୁ କରିଥିଲା । ହେଲେ, ଗୁରୁବାରକୁ ଆସିଥିଲା ବାପାଙ୍କ ମୃତ୍ୟୁ ଖବର ।

ବାପାଙ୍କ ମୃତ୍ୟୁ ଖବର ପାଇ ପୁଅ ପୁରୀରେ ପହଁଚିଥିଲେ । ସିଂହଦ୍ୱାର ଥାନା ପୋଲିସ ତାଙ୍କୁ ମୋହନଙ୍କ ମୃତଦେହ ଦେଖାଇଥିଲେ । ଯାହାର ପୋଷ୍ଟମର୍ଟମ ବି ସରିଯାଇଥିଲା । ହେଲେ କେମିତି ମୃତ୍ୟୁ ହେଲା ସେ ନେଇ କୌଣସି ସୂଚନା ଦେଇନଥିଲା । ଏଥିସହ ତାଙ୍କ ବାପାଙ୍କ ହାତରେ ରଶି ବନ୍ଧା ଦାଗ ଥିବା ମଧ୍ୟ ଅପୂର୍ବ ଅଭିଯୋଗ କରିଛନ୍ତି । ପ୍ରଶ୍ନ ଉଠୁଛି, ଜଣେ ସୁସ୍ଥ ସବଳ ମଣିଷର ହଠାତ କେମିତି ମୃତ୍ୟୁ ହେଲା । ସ୍ୱାଭାବିକ କାରଣ ଯୋଗୁଁ ମୃତ୍ୟୁ ହୋଇଛି ନା କିଏ ତାଙ୍କୁ ମାରି ଦେଇଛି ଏହା ପୋଲିସ ସ୍ପଷ୍ଟ କରିବା ଜରୁରୀ ।