ପ୍ରତିବାଦ,ହଙ୍ଗାମା, ହଲ୍ଲାବୋଲ । ଦରଦାମ ବୃଦ୍ଧିକୁ ବିରୋଧ । ଦେଶସାରା କଂଗ୍ରେସର ବିକ୍ଷୋଭ ।

65

କନକ ବ୍ୟୁରୋ: ଦରଦାମ, ମୁଦ୍ରାସ୍ପୀତି ବୃଦ୍ଧିକୁ ବିରୋଧ କରି ଶୁକ୍ରବାର ବିଭିନ୍ନ ରାଜ୍ୟରେ ଜୋରଦାର ବିକ୍ଷୋଭ କରିଛି କଂଗ୍ରେସ । ଦଳ ରାଜଧାନୀ ଦିଲ୍ଲୀଠୁ ନେଇ ବିଭିନ୍ନ ରାଜ୍ୟରେ ପ୍ରତିବାଦ କରିଛି । ଦଳୀୟ ନେତା, କର୍ମୀ,ମନ୍ତ୍ରୀ ଓ ବରିଷ୍ଠ ନେତା ବିକ୍ଷୋଭରେ ସାମିଲ ହୋଇ ସରକାରଙ୍କ ବିରୋଧରେ ନାରାବାଜୀ ଦେଇ ନିଜର ଦାବି ଜଣାଇଛନ୍ତି ।

ସଂସଦ ଭବନରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପଦଯାତ୍ରା କରି କଂଗ୍ରେସ ନେତା,ମନ୍ତ୍ରୀ କର୍ମୀ ପହଁଚିଥିବାବେଳେ ପୁଲିସ ସହ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଏହି ସମୟରେ କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କୁ ଅଟକ ରଖାଯାଇଥିଲା । ତେବେ କିଛି ସମୟ ଅଟକ ରଖିବା ପରେ ଏମାନଙ୍କୁ ଛାଡିଦିଆଯାଇଥିଲା ।

ଶୁକ୍ରବାର ବିରୋଧ ପ୍ରର୍ଦଶନ କରିବା ପୂର୍ବରୁ କଂଗ୍ରେସ ସାଂସଦ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ । ରାହୁଲ କହିଥିଲେ ଏକଛତ୍ରବାଦୀ ଶାସକ ଅଧୀନରେ ଚାଲିଛି ଦେଶ । ବିରୋଧୀ ଯେଉଁ ସମୟରେ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଉଛି ତାଙ୍କୁ କହିବାକୁ ଦଉନାହାଁନ୍ତି ସରକାର । ସଂସଦରେ ପ୍ରଦର୍ଶନ କଲେ ନିଲମ୍ବନ ଓ ବାହାରେ ପ୍ରତିବାଦ କଲେ ଗିରଫ କରାଯାଉଛି । ୮ ବର୍ଷର ଶାସନରେ ଦେଶରେ ଦରଦାମ, ବେକାରୀ ସମସ୍ୟା, ହିଂସା ବୃଦ୍ଧି ପାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ତାଙ୍କର ମାଇକ୍ରୋ ଅର୍ଥଶାସ୍ତ୍ର ଉପରେ ଜ୍ଞାନ ନାହିଁ । ଭାରତ ଅର୍ଥନୀତି କିପରି ଚାଲୁଛି ତାହା ଉପରେ ମଧ୍ୟ ଅର୍ଥମନ୍ତ୍ରୀ କିଛି ଜାଣନ୍ତି ନାହିଁ । ସେ କେବଳ ମୁଖପାତ୍ର ଭଳି କାର୍ଯ୍ୟ କରନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

କଂଗ୍ରେସ ନେତାମାନେ କଳା କୁର୍ତା ପିନ୍ଧି ବିକ୍ଷୋଭ କରିଛନ୍ତି । କେବଳ ରାସ୍ତାକୁ ଦଳ ଶହ ଶହ କର୍ମୀ ସମର୍ଥକଙ୍କ ସହ ଓହ୍ଲାଇନି । ସେପଟେ ସଂସଦ ଭବନ ପରିସରରେ ମଧ୍ୟ ସାଂସଦମାନେ ପ୍ଲାକାର୍ଡ ଧରି ସରକାରଙ୍କ ନୀତି ବିରୋଧରେ ବିକ୍ଷୋଭ କରିଛନ୍ତି ।