ତାଇୱାନ ଚାରିପଟେ ଚୀନ ସେନା ସମରାଭ୍ୟାସ ଜାରି । ଜୋରଦାର ଗୁଳିଗୋଳା ବର୍ଷା କରୁଛି ପିଏଲଏ ।

192

କନକ ବ୍ୟୁରୋ: ଦ୍ୱିତୀୟ ଦିନରେ ପହଞ୍ଚିଲା ଚୀନ୍ ତାଇୱାନ୍ ବିବାଦ । ସମରାଭ୍ୟାସକୁ ଆହୁରି ଜୋରଦାର କଲା ଡ୍ରାଗନ ସେନା । ଏହାରି ଭିତରେ ନେନ୍ସି ପେଲୋସିଙ୍କ ଉପରେ କଟକଣା ଲଗାଇଛି ବେଜିଂ । ସେପଟେ ତାଇୱାନରୁ ସିଧାସଳଖ ଜାପାନ ପହଞ୍ଚି ନେନ୍ସି ପେଲୋସି, ଆମେରିକା ସହିତ ଜାପାନ ରହିଥିବାର ସନ୍ଦେଶ ଦେଇଛନ୍ତି । ନେନ୍ସି ପେଲୋସିଙ୍କ ତାଇୱାନ ଗସ୍ତରେ ଚିହିଁକି ଉଠିଥିବା ଚୀନ୍ । ଜଳବାୟୁ ପରିବର୍ତନକୁ ନେଇ ଆମେରିକା ସହ ହେବାକୁ ଥିବା ଆଲୋଚନାକୁ ବାତିଲ କରିଦେଇଛି । ପ୍ରତିରକ୍ଷା ସଂପର୍କୀତ ଉଚ୍ଚସ୍ତରୀୟ କଥାବାର୍ତାକୁ ମଧ୍ୟ ସ୍ଥଗିତ ରଖିଛି ଜିନପିଙ୍ଗ ପ୍ରଶାସନ ।

  • ତାଇୱାନ୍ ଚାରିପଟେ ଚୀନ ସମରାଭ୍ୟାସର ଦ୍ୱିତୀୟ ଦିନ
  • ନାନ୍ସି ପେଲୋସିଙ୍କ ଉପରେ ବେଜିଂ ଲଗାଇଲା କଟକଣା
  • ଡ୍ରାଗନ୍ ବିରୋଧରେ ଏକାଠି ହେଲେ ଜାପାନ-ଆମେରିକା

ଆହୁରି ସାଂଘାତିକ ହେବାରେ ଲାଗିଛି ଚୀନ ଓ ତାଇୱାନ ମଧ୍ୟରେ ତିକ୍ତତା । ସମରାଭ୍ୟାସର ଦ୍ୱିତୀୟ ଦିନରେ ଜୋରଦାର ଗୁଳିଗୋଳା ବର୍ଷା କରିଛି ଡ୍ରାଗନ ସେନା । ତାଇୱାନ ଚାରିପଟେ ପାଖାପାଖି ୧୦୦ଟି ଲଢୁଆ ବିମାନ ଏବଂ ୧୦ଟି ଯୁଦ୍ଧ ଜାହାଜ ଏହି ସମରାଭ୍ୟାସରେ ସାମିଲ ଥିବା ଦାବି କରିଛି ବେଜିଂ । ଯାହାକୁ ଯୁଦ୍ଧ ପାଇଁ ଉସୁକାଇଲା ଭଳି ପଦକ୍ଷେପ ବୋଲି କହିଛି ତାଇପେଇ । ପିପୁଲ୍ସ ଲିବରେସନ ଆର୍ମିର ଏହି ସବୁଠାରୁ ବଡ ସାମରିକ କସରତକୁ ନିନ୍ଦା କରିଛନ୍ତି ଆମେରିକା, ଜାପାନ ଓ ୟୁରୋପୀୟ ସଂଘ ।

ତାଇୱାନ ଉପରେ ଯୁଦ୍ଧର ଆଶଙ୍କା ବଢି ଚାଲିଥିବାବେଳେ ଆମେରିକା କେବଳ ତାଇପେଇ ସହ ଛିଡା ହୋଇନାହିଁ, ବରଂ ଫିଲିପାଇନ୍ସ ସମୁଦ୍ରରେ ଆକ୍ରମଣ ମୁଦ୍ରାରେ ପ୍ରସ୍ତୁତ ରଖିଥିବା ତାର ୪ଟି ଯୁଦ୍ଧପୋତକୁ ଅଧିକଦିନ ମୁତୟନ ରଖିବାକୁ ନିଷ୍ପତି କରିଛି ।

ବାରଣ ସତ୍ୱେ ତାଇୱାନରେ ପହଞ୍ଚିଥିବା ନେନ୍ସି ପେଲୋସି ଜାପାନରେ ପହଞ୍ଚିଛନ୍ତି । ଆଉ ଜାପାନ ଓ ଆମେରିକା ଏକାଠି ଥିବାର ବଡ ବାର୍ତା ଦେଇଛନ୍ତି । ଗତକାଲି ଜାପାନର ଜଳସୀମାରେ ୫ଟି ମଜାଇଲ ମାଡ କରିଥିଲା ଚୀନ ସେନା ପିଏଲଏ । ତେଣୁ ପୂର୍ବ ଏସିଆରେ ଚୀନ ଅଶାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରିଛି ଟୋକିଓ । ଉଭୟ ଆମେରିକା ଓ ଜାପାନର ବିବୃତି ଆସିବା ପରେ ନାନ୍ସି ପେଲୋସିଙ୍କ ଉପରେ କଟକଣା ଲଗାଇଛି ବେଜିଂ । ସେହିପରି ଜଳବାୟୁ ପରିବର୍ତନକୁ ନେଇ ଆମେରିକା ସହ ହେବାକୁ ଥିବା ଆଲୋଚନାକୁ ବାତିଲ କରିଦେଇଛି ଜିନପିଙ୍ଗ ପ୍ରଶାସନ । ପ୍ରତିରକ୍ଷା ସଂପର୍କୀତ ଉଚ୍ଚସ୍ତରୀୟ କଥାବାର୍ତାକୁ ମଧ୍ୟ ସ୍ଥଗିତ ରଖିଛି ।

ତାଇୱାନକୁ ଚାରିପଟୁ ଘେରି ରହି ଚୀନ ସେନା ଚଳାଇଥିବା ସମରାଭ୍ୟାସ ବିଶ୍ୱରେ ଅଶାନ୍ତିର ବାତାବରଣ ସୃଷ୍ଟି କରିଛି । ତେଣୁ ଏହାକୁ କଡା ଭାଷାରେ ନିନ୍ଦା କରିଛି ଆମେରିକା । ଦାୟିତ୍ୱହୀନ ଭାବେ ଚୀନ ସେନା ମିଜାଇଲ ମାଡ କରି ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ତେଣୁ ଚୀନକୁ ଚ୍ୟାଲେଞ୍ଜ ଦେଇ ୱାସିଂଟନ୍ କହିଛି ଯେ, ଆଗାମୀ ୨ ସପ୍ତାହରେ ତାଇୱାନ ଜଳସୀମା ଦେଇ ଆମେରିକା ତାର ବାଣିଜ୍ୟିକ ଜାହାଜ ଚଳାଚଳ କରିବ ବୋଲି ଘୋଷଣା କରିଛି । ଏବଂ ଅନ୍ତର୍ଜାତୀୟ ଆଇନ ଅନୁସାରେ ଆମେରିକାକୁ ଏଥିରେ କେହି ବାଧା ଦେଇପାରିବେ ନାହିଁ ବୋଲି କହିଛି ଆମେରିକା ।