ବ୍ରିଟେନର ସର୍ବୋଚ୍ଚ ପଦବୀରେ ବସିଲେ ହିନ୍ଦୁ, ପୁଣି ଉଠିଲା ଭାରତକୁ କୋହିନୁର ଫେରିବା ପ୍ରସଙ୍ଗ। 

144

କନକ ବ୍ୟୁରୋ: ବହୁମୂଲ୍ୟ କୋହିନୁର ହୀରାକୁ ଶ୍ରୀମନ୍ଦିରକୁ ଦାନ କରିଥିଲେ ରାଜା ରଣଜିତ୍ ସିଂହ । କାଳକ୍ରମେ ଇଂରେଜ ଶାସନ ସମୟରେ ଏହି ହୀରା ଯାଇ ବ୍ରିଟେନର ରାଜ ପରିବାର ପାଖରେ ରହିଛି । ୮ଶହ ବର୍ଷ ଧରି ଏହି କୋହିନୁରକୁ ନେଇ ବିବାଦ ରହିଛି । ଏବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ କୋହିନୁର ଫେରାଇ ଆଣିବାକୁ ପୁଣିଥରେ ଦାବି ହୋଇଛି । ପୂର୍ବରୁ ଏ ସଂକ୍ରାନ୍ତରେ ରାଣୀ ଏଲଜିବେଥ ଦ୍ୱିତୀୟଙ୍କୁ ଚିଠି ଲେଖିଥିଲା ଶ୍ରୀଜଗନ୍ନାଥ ସେନା । କିନ୍ତୁ ଏହା ସରକାରଙ୍କ ନିଷ୍ପତି ବୋଲି ରାଣୀ ଏଲିଜାବେଥ ଦ୍ୱିତୀୟ ମୃତ୍ୟୁ ପୂର୍ବରୁ କହିିଥିଲେ । ଯେହେତୁ ଋଷି ଜଣେ ହିନ୍ଦୁ ଏବଂ ଜଗନ୍ନାଥଙ୍କୁ ବିଶ୍ୱାସ କରନ୍ତି ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ଦେଖାଇ କୋହିନୁର କେମିତି ଭାରତ ଫେରିବ ସେ ନେଇ ପଦକ୍ଷେପ ନେବା ଦରକାର ବୋଲି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି ।

‘କୋହ-ଇ-ନୂର’ ପାର୍ସି ଭାଷାରେ ଯାହାର ଅର୍ଥ ହେଉଛି ‘ଆଲୋକର ପାହାଡ଼’ । ଭାରତର କୋଲୁର ଖଣିରୁ ମିଳିଥିଲା ଏହି ହୀରା । ୧୦୫.୬ କ୍ୟାରେଟ୍ ଏହି ହୀରାର ଓଜନ ୨୧.୧୨ ଗ୍ରାମ । ଯାହାର ଲମ୍ବ-୩.୪ ସେଣ୍ଟିମିଟର, ପ୍ରସ୍ଥ-୩.୨ ସେଣ୍ଟିମିଟର  ଏବଂ ମୋଟେଇ-୧.୩ ସେଣ୍ଟିମିଟର । ଅଣ୍ଡାକାର ଆକୃତି ଏବଂ ଏହାର ୬୬ଟି ପାଶ୍ୱର୍ ରହିଛି । ୧୩୨୩ରେ ମହମ୍ମଦ ବିନ୍ ତୋଗଲକ ଏହି ହୀରାକୁ ପାଖରେ ରଖିଥିଲେ । ୧୫୨୬ ମସିହାରେ ମୋଗଲ ସମ୍ରାଟଙ୍କ ପାଖରେ ପହଁଞ୍ଚିଥିଲା କୋହିନୁର ହୀରା । ୧୭୩୯ ମସିହାରେ ନାଦିର ଶାହା ମୟୂର ସିଂହାସନ ଓ କୋହିନୁର ହୀରାକୁ ଆଫଗାନିସ୍ତାନ ନେଇ ଯାଇଥିଲେ । ଏହାକୁ ପୁଣିଥରେ ଭାରତ ଆଣିଥିଲେ ଶିଖ ବୀର ରାଜା ରଣଜିତ ସିଂହ । ଆଉ ୧୮୩୦ ମସିହାରେ ରାଜା ରଣଜିତ ସିଂହ ଶ୍ରୀମନ୍ଦିରକୁ ଆସି ବଟବୃକ୍ଷ ମୂଳେ ଶ୍ରୀଗଜନ୍ନାଥଙ୍କୁ ଦାନ କରିବା ପାଇଁ ସଙ୍କଳ୍ପ କରିଥିଲେ । କୋହିନୁର ଦାନ କରିବା ନେଇ ଏକ ଉଇଲ୍ ମଧ୍ୟ କରିଥିଲେ ରାଜା ରଣଜିତ ସିଂହ ।

ବ୍ରିଟେନର ରାଣୀଙ୍କ ମୁକୁଟରେ ଶୋଭାପାଏ ଏହି ହୀରା । ଏବେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଏବଂ ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ହୀରା ପୁଣିଥରେ ଫେରାଇ ଆଣିବାକୁ ଦାବି ହୋଇଆସୁଛି ।