ଧାମନଗରରେ କିଏ ବାଣ୍ଟୁଛି ଟଙ୍କା? ବିଜେଡି – ବିଜେପି ହେଲେ ମୁହାଁମୁହିଁ ।

126

କନକ ବ୍ୟୁରୋ: ଧାମନଗରର ଦୁଇଟି ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରଥମ ଦୃଶ୍ୟରେ ଜଣେ ବିଜେଡି କର୍ମୀ କହୁଛନ୍ତି ଯେଉଁ ପଞ୍ଚାୟତ ଅଧିକ ଭୋଟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବ, ସେହି ପଞ୍ଚାୟତକୁ ଏକ କୋଟି ଟଙ୍କାର ପୁରସ୍କାର ମିଳିବ । ଦ୍ୱିତୀୟ ଭିଡିଓରେ ଏସଏଚଜି ମହିଳା ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି ।

ବିଜେଡିର ପ୍ରଚାର ରାଲିରେ ଭୋଟ ପାଇଁ କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରାଯାଉଥିବା ସମୟର ଭିଡିଓ ସାମ୍ନାକୁ ଆସିଛି । ରାଧାବଲ୍ଲଭପୁରରେ ବିଜେଡିର ପ୍ରଚାର ସଭାରେ ଜଣେ ସ୍ଥାନୀୟ ବିଜେଡି ନେତା ମଞ୍ଚରୁ ମାଇକ ଯୋଗେ ଘୋଷଣା କରୁଛନ୍ତି । ନେତା ଜଣକ ମାଇକ ଧରି ପ୍ରଚାର ସଭାକୁ ସମ୍ବୋଧିତ କରି କହୁଛନ୍ତି, ଯେଉଁ ପଞ୍ଚାୟତ ଅଧିକ ଭୋଟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବ, ସେହି ପଞ୍ଚାୟତକୁ ଏକ କୋଟି ଟଙ୍କାର ପୁରସ୍କାର ମିଳିବ । ବଡ କଥା ହେଉଛି ମଞ୍ଚରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଓ ବିଜେଡି ସାଂସଦ ସୁଲତା ଦେଓଙ୍କ ଉପସ୍ଥିତିରେ ଏହି ଘୋଷଣା କରୁଛନ୍ତି ସ୍ଥାନୀୟ ବିଜେଡି ନେତା । ଏହି ଭାଇରାଲ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଧାମନଗର ନିର୍ବାଚନମଣ୍ଡଳୀରେ ଏସଏଚଜି ମହିଳା ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କିତ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏକ ସ୍କୁଟିରେ ଜଣେ ମହିଳା ଗାଁରେ ପହଞ୍ଚି ମହିଳାଙ୍କୁ ଡାକି ଟଙ୍କା ବାଣ୍ଟୁଛନ୍ତି । ଆଉ ସେହି ସମୟର ଦୃଶ୍ୟକୁ କେହି ଜଣେ ମୋବାଇଲରେ କଏଦ କରି ଏବେ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛି । କୁହାଯାଉଛି ଟଙ୍କା ଦେଉଥିବା ମହିଳା ଜଣକ ଏସଏଚଜି ସଦସ୍ୟ, ଆଉ ଭୋଟ ପାଇଁ ସେ ଟଙ୍କା ଦେଉଛନ୍ତି ।

ଧାମନଗର ଉପନିର୍ବାଚନ ପାଇଁ ଟଙ୍କା ଉଡୁଛି । ଆଉ ଏପଟେ ବିଜେଡି-ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି । ଉଭୟ ଦଳ ପରସ୍ପର ଉପରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣିଛନ୍ତି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ସିଇଓଙ୍କୁ ଭେଟିଛନ୍ତି । ଶାସକ ଦଳ ଭୋଟ ପାଇଁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣିଛି ବିଜେପି । ସେହିପରି ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସିଇଓଙ୍କୁ ଭେଟିଛନ୍ତି । ଦଳ ଅଭିଯୋଗ କରିଛି ବିଜେପି ବେଆଇନ ଭାବେ ଭୋଟରଙ୍କୁ ପ୍ରଲୋଭିତ କରୁଛି । ଏଣୁ ପ୍ରଶ୍ନ ଉଠୁଛି ଧାମନଗରରେ ଟଙ୍କା ବାଣ୍ଟୁଛି କିଏ ।

ଧାମନଗରରେ ଟଙ୍କାବଣ୍ଟା ନେଇ ରାଜନୀତି ଜୋର ଧରିଥିବାବେଳେ ବୁଧବାରଠାରୁ ଷ୍ଟାର ପ୍ରଚାରକ ମୈଦାନକୁ ଓହ୍ଲାଇବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଓ ଗୁରବାର ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶର ଟୁଡୁ ବି ପ୍ରଚାରର ସାମିଲ ହେବେ । ସେପେଟ ଆବଶ୍ୟକ ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବି ମୈଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି ।