୯ ଜଣିଆ ପ୍ରାର୍ଥୀ ତାଲିକାରେ ୬ ମହିଳାଙ୍କୁ ସୁଯୋଗ । କଟିଲା ୨ ବିଧାୟକଙ୍କ ଟିକେଟ୍ । ଦୁଇଟି ଆସନରେ ବଦଳିଲେ ପ୍ରାର୍ଥୀ ।

1,174

କନକ ବ୍ୟୁରୋ: ବିଜେଡିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଯଦିଓ ୯ଟି ଆସନର ପ୍ରାର୍ଥୀଙ୍କ ଭିତରେ ସୀମିତ । ତଥାପି ଅଭିଜ୍ଞ-ଯୁବ-ମହିଳା ପ୍ର୍ରାର୍ଥୀଙ୍କୁ ନେଇ ଏକ ସନ୍ତୁଳିତ ତାଲିକା ପ୍ରକାଶ କରିଛି ବିଜୁ ଜନତା ଦଳ । ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅଭିଜ୍ଞ ପ୍ରସନ୍ନ ଆଚାର୍ଯ୍ୟ, ଯୁବ ରୋହିତ ପୂଜାରୀଙ୍କ ସମେତ ବର୍ଷା ସିଂ ବରିହା ଏବଂ ସୁଲକ୍ଷଣା ଦେବୀଙ୍କ ଭଳି ମହିଳା ଚେହେରା ସାମିଲ ଅଛନ୍ତି ।

  • କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ
  • ସମ୍ବଲପୁରରୁ ରୋହିତ ପୂଜାରୀ
  • ରେଢ଼ାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟ
  • ପଦ୍ମପୁରରୁ ବର୍ଷା ସିଂ ବରିହା
  • କୁଚିଣ୍ଡାରୁ ରାଜେନ୍ଦ୍ର କୁମାର ଛତ୍ରିଆ
  • ଜୟପୁରରୁ ଇନ୍ଦିରା ନନ୍ଦ
  • ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ
  • ଦେବଗଡ଼ରୁ ଅରୁନ୍ଧତୀ ଦେବୀ
  • ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ
  • ଅନୁଗୁଳରୁ ସଂଯୁକ୍ତା ସିଂ
  • ନିମାପଡ଼ାରୁ ଦିଲ୍ଲୀପ ନାୟକ

୯ ଜଣିଆ ପ୍ରାର୍ଥୀ ତାଲିକାରେ ୬ ଜଣ ମହିଳାଙ୍କୁ ସୁଯୋଗ ମିଳିଛି । ସେହିପରି ୨ଟି ଆସନରେ ସ୍ୱାମୀଙ୍କ ପରେ ସ୍ତ୍ରୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଜୟପୁରରୁ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରିଥିବା ବେଳେ ରଜନୀକାନ୍ତ ସିଂଙ୍କ ପତ୍ନୀ ସଂଯୁକ୍ତା ସିଂଙ୍କୁ ଅନୁଗୁଳରୁ ମିଳିିଛି ଟିକେଟ୍ । ସେହିପରି ସାନଖେମୁଣ୍ଡି ଆସନରେ ମା’ଙ୍କ ସ୍ଥାନରେ ଝିଅକୁ ଟିକେଟ୍ ମିିଳିଛି । ନନ୍ଦିନୀ ଦେବୀଙ୍କ ପରେ ଝିଅ ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କୁ ପ୍ରାର୍ଥୀ କରାଯାଇଛି ।

ଅନ୍ୟପଟେ ଦୁଇ ଜଣ ବିଧାୟକଙ୍କ ଟିକେଟ୍ କାଟିଛି ଦଳ । ନିମାପଡ଼ାରୁ ବିଧାୟକ ଥିବା ସମୀର ଦାଶଙ୍କ ସ୍ଥାନରେ ଦିଲ୍ଲୀପ ନାୟକଙ୍କୁ ଦଳ ଟିକେଟ ଦେଇଥିବା ବେଳେ କୁଚିଣ୍ଡାରୁ ବିଧାୟକ ଥିବା କିଶୋର ନାୟକଙ୍କ ବଦଳରେ ବିଜେଡି ରାଜେନ୍ଦ୍ର କୁମାର ଛତ୍ରିଆଙ୍କୁ ପ୍ରାର୍ଥୀ କରିଛି । ଆଉ ଏସବୁ ଭିତରେ ଦଳ ଛାଡ଼ି ବିଜେଡିରେ ସାମିଲ୍ ହୋଇଥିବା ନେତାଙ୍କୁ ସୁଯୋଗ ମିଳିଛି । ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, ନିମାପଡ଼ାରୁ ଦିଲ୍ଲୀପ ନାୟକ, କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିିଆ ଏବଂ ଦେବଗଡ଼ରୁ ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀ କରିଛି ଦଳ । ଗତକାଲି ବିଜେଡିରେ ମିଶିଥିଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ । ଆଉ ୨୪ ଘଣ୍ଟା ନପୁରୁଣୁ ବିଜେଡି ତାଙ୍କୁ ଦେବଗଡ଼ ଆସନ ପାଇଁ ଟିକେଟ୍ ଦେଇଛି ।