ସମ୍ବଲପୁର, ରେଢାଖୋଲ ଆସନରେ ବଦଳିଲେ ବିଜେଡି ପ୍ରାର୍ଥୀ । ରୋହିତ ଗଲେ ସମ୍ବଲପୁର, ପ୍ରସନ୍ନ ଆସିଲେ ରେଢାଖୋଲ ।

259

କନକ ବ୍ୟୁରୋ: ପ୍ରସନ୍ନ ଆଚାର୍ଯ୍ୟଙ୍କ ସମ୍ବଲପୁରରୁ ଲଢିବାକୁ ଇଚ୍ଛୁକ ନଥିବା ନେଇ ଯେଉଁ ଆକଳନ କରାଯାଉଥିଲା, ଶେଷରେ ତାହା ସତ ହୋଇଛି । ବଦଳିଛନ୍ତି ସମ୍ବଲପୁରର ଓ ରେଢାଖୋଲରେ ବିଜେଡି ପ୍ରାର୍ଥୀ । ରୋହିତ ପୂଜାରୀଙ୍କୁ ସମ୍ବଲପୁର ପଠାଯାଇଥିବାବେଳେ, ରେଢାଖୋଲରୁ ପ୍ରାର୍ଥୀ ହେବେ ପ୍ରସନ୍ନ ଆଚାର୍ଯ୍ୟ । ଅର୍ଥାତ ରେଢାଖୋଲରେ ରୋହିତ ପୂଜାରୀଙ୍କ ବଦଳରେ ଲଢିବେ ପ୍ରସନ୍ନ ଆଚାର୍ଯ୍ୟ । ଆଉ ସମ୍ବଲପୁରରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ଥାନରେ ଲଢିବେ ରୋହିତ ପୂଜାରୀ ।

କୁହାଯାଉଥିଲା ଟିକେଟ ଘୋଷଣା ପରେ ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରରୁ ଲଢିବା ପାଇଁ ଅମଙ୍ଗ ଥିଲେ । ତେଣୁ ଶେଷରେ ପ୍ରାର୍ଥୀ ଅଦଳବଦଳ କରିଛି ବିଜେଡି । ବର୍ତ୍ତମାନ ରେଢାଖୋଲ ଆସନରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁକାବିଲା ବିଜେପିର ଦେବେନ୍ଦ୍ର ମହାପାତ୍ର ଓ କଂଗ୍ରେସର ଆସଫ ଅଲ୍ଲୀଙ୍କ ସହ ହେବ । ପ୍ରସନ୍ନ ୨୦୦୯ ମସିହାରେ ଏହି ଆସନରୁ ଜିତିଥିଲେ । ପ୍ରସନ୍ନ କହିଛନ୍ତି, ସେ ଟିକେଟ ନେଇ ଅସନ୍ତୁଷ୍ଟ ନଥିଲେ, ଲଢେଇ ଜୋରଦାର ହେବ ।

ରେଢାଖୋଲ ଆସନରେ ୨୦୧୪ ଓ ୨୦୧୯ରେ ଜିତିଥିଲେ ରୋହିତ ପୂଜାରୀ । ରୋହିତ ଏଠାରେ ସଙ୍ଗଠନ ବି କରିଥିଲେ । ପ୍ରଚାର ବି କରୁଥିଲେ । ଏବେ ପ୍ରସନ୍ନ ପୁଣି ଆସିବା ପରେ ଲଢେଇ ରୋଚକ ହେବ ବୋଲି କୁହାଯାଉଛି । କାରଣ ଏଠାରୁ ୨୦୧୯ରେ ଦେବେନ୍ଦ୍ର ମହାପାତ୍ର ବିଜେପି ଓ ଆସଫ ଅଲ୍ଲୀ ଖାନ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ, ଯାହାକୁ ରିପିଟ କରିଛନ୍ତି ଦୁଇଦଳ ।

  • ବିଜେପି ଗଡରେ ଲଢିବେ ରୋହିତ
  • ଜୟନାରାୟଣଙ୍କୁ ଟକ୍କର ଦେବେ ଜିଲ୍ଲା ସଭାପତି

ରେଢାଖୋଲ ବଦଳରେ ସମ୍ବଲପୁରରୁ ଲଢିବେ ରୋହିତ ପୂଜାରୀ । ରୋହିତ ପୂଜାରୀ ଜିଲ୍ଲା ବିଜେଡିର ସଭାପତି ଅଛନ୍ତି । ସମ୍ବଲପୁର ବିଧାନସଭା ଆସନ ବିଜେପିର ଗଡ ବୋଲି କୁହାଯାଉଛି ।

  • ଏଠାରେ ୨୦୧୪ରେ ହିଁ ଜିତିପାରିଥିଲା ବିଜେଡି
  • ୨୦୦୦, ୨୦୦୪, ୨୦୦୯ ଓ ୨୦୧୯ରେ ଜିତିଥିଲେ ଜୟନାରାୟଣ ମିଶ୍ର

ସମ୍ବଲପୁର ବିଧାନସଭା ଆସନ ପାଇଁ ରୋହିତ ପୂଜାରୀ ହେଉଛନ୍ତି ନୂଆ । ଏଠାରୁ ଏଥର ବି ୪-୪ ଥରର ବିଧାୟକ ଜୟନାରାୟଣ ମିଶ୍ର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ବି ନୂଆ ମୁହଁ ଦୁର୍ଗା ପାଢୀଙ୍କୁ ପ୍ରାର୍ଥୀ କରିଛି । ଆଉ ଟିକେଟ ପାଇବା ପରେ ରୋହିତ ପୂଜାରୀ କହିଛନ୍ତି, ଦଳ ତାଙ୍କୁ ଯେଉଁଠୁ କହିବ ସେଠାରୁ ସେ ଲଢିବେ । ସମ୍ବଲପୁର ଲୋକସଭା ଆସନରେ ଏଥର ହେଭିୱେଟ୍ ଲଢେଇ ହେଉଛି । ବିଜେପିିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିରୁ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଛନ୍ତି । ଆଉ ଏହି ଦମଦାର ଲଢେଇରେ ବିଧାନସଭା ଆସନ ପାଇଁ ରୋହିତ ପୂଜାରୀଙ୍କ ଏଣ୍ଟ୍ରି ସମ୍ବଲପୁର ରାଜନୀତିକୁ ଉଷ୍ମ କରିଛି ।