୪୨ ବର୍ଷ ପୂର୍ବର ସେ କଳାଦିନ । ଯେତେବେଳେ ବାଗମତୀ ନଦୀକୁ ଖସିପଡିଥିଲା ଯାତ୍ରୀବାହୀ ଟ୍ରେନର ୯ଟି ବଗି, ମୃତ୍ୟୁବରଣ କରିଥିଲେ ୮୦୦ ଲୋକ

1,743

କନକ ବ୍ୟୁରୋ : ଓଡିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଗତକାଲି ସନ୍ଧ୍ୟା ସମୟରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୬୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି   । ଏହାସହ ଶହ ଶହ ଲୋକ ଆହତ ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାକୁ ନେଇ ଭାରତ ବ୍ୟତୀତ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଶୋକ ପ୍ରକାଶ କରିଛନ୍ତି । ହେଲେ ଏହା ଦେଶର ସବୁଠାରୁ ବଡ ରେଳ ଦୁର୍ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଦେଶରେ ଅନେକ ବଡ ବଡ ରେଳ ଦୁର୍ଘଟଣା ହୋଇଛି । ଆଜି ଆମେ ଆପଣଙ୍କୁ ୪୨ ବର୍ଷ ପୂର୍ବେ ବିହାରରେ ଏକ ବଡ ରେଳ ଦୁର୍ଘଟଣା ହୋଇଥିଲା । ଯାହାକୁ ଦେଶର ସବୁଠାରୁ ବଡ ରେଳ ଦୁର୍ଘଟଣା ବୋଲି କୁହାଯାଉଛି ।

୧୯୮୧ ମସିହା ଜୁନ ୬ ତାରିଖ । ଯାତ୍ରୀଙ୍କୁ ନେଇ ଏକ ଟ୍ରେନ ମାନସୀ-ସହରସା ରେଳ ଖଣ୍ଡ ନିକଟ ବଦଲା ଘାଟ-ଘମରା ଘାଟ ଷ୍ଟେସନ ମଧ୍ୟରେ ବାଗମତୀ ନଦୀ ଉପରେ ଯାଉଥିବା ବେଳେ ପୋଲ ସଂଖ୍ୟା ୫୧ ନିକଟରେ ନଦୀ ମଧ୍ୟକୁ ଖସିପଡିଥିଲା । ଏହି ଟ୍ରେନରେ ମୋଟ ୯ଟି ବଗି ଥିଲା । ଖବର ପାଇଁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ୮୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ସୂଚନା ମୁତାବକ ମାନସୀ ପର୍ଯ୍ୟନ୍ତ ଟ୍ରେନଟି ଠିକଠାକ ଥିଲା । ହେଲେ ଅପରାହ୍ନ ସମୟରେ ଟ୍ରେନଟି ଯେତେବେଳେ ନଦୀ ପୋଲ ଉପରେ ଚାଲୁଥିଲା ହଠାତ କାଳବୈଶାଖୀ ଆସିଥିଲା । ସେତେବେଳେ ଟ୍ରେନଟି ପୋଲ ସଂଖ୍ୟା ୫୧ ନିକଟରେ ପହଂଚିସାରିଥିଲା । ଟ୍ରେନଟି ନିଜ ଗତିରେ ଦୌଡୁଥିବା ବେଳେ ଲୋକପାଇଲଟ ଜଣଙ୍କ ହଠାତ ବ୍ରେକ୍ ମାରିଥିଲେ । ଏହାପରେ ଯାତ୍ରୀବାହୀ ଟ୍ରେନର ୯ଟି ବଗି ବାଗମତୀ ନଦୀକୁ ଖସିପଡିଥିଲା ।

ଏହି ଦୁର୍ଘଟଣାରେ ସରକାରୀ ସୂଚନା ମୂୁତାବକ ମୃତକଙ୍କ ସଂଖ୍ୟା ୩୦୦ କୁହାଯାଇଥିଲା । ହେଲେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ୮୦୦ରୁ ଅଧିକ ଲୋକଙ୍କ ଶବ ଉଦ୍ଧାର କରାଯାଇଥିଲା । ଏହାର କିଛି ଦିନ ପର୍ଯ୍ୟନ୍ତ ଟ୍ରେନର ବଗିଗୁଡିକୁ ବାହାର କରିବାରେ ସରକାର ବିଫଳ ହୋଇଥିଲା । ଫଳରେ କିଛି ଶବ ନଦୀ ଭିତରେ ପଡିରହିଥିବା ଟ୍ରେନର ବଗି ମଧ୍ୟରେ ଷଢି ଯାଇଥିଲା ।

ଏହି ଦୁର୍ଘଟଣାକୁ ନେଇ ଅନେକ କାରଣ ସାମ୍ନାକୁ ଆସିଥିଲା । କିଛି ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଟ୍ରେନଟି ପୋଲ ଉପରେ ଚାଲୁଥିବା ବେଳେ ଗାଈ ଓ ମଇଁଷି ଆଗକୁ ଚାଲିଆସିଥିଲେ । ଲୋକପାଇଲଟ ସେମାନଙ୍କୁ ବଞ୍ଚାଇବାକୁ ଟ୍ରେନର ବ୍ରେକ ମାରିଥିଲେ । ଅନ୍ୟପଟେ କୁହାଯାଇଥିଲା କି ବର୍ଷା ଓ ପବନ ଜୋରରେ ହେଉଥିବାରୁ ଯାତ୍ରୀମାନେ ଟ୍ରେନର ସମସ୍ତ କବାଟ ଓ ଝରକାକୁ ବନ୍ଦ କରିଦେଇଥିଲେ । ସେପଟେ ପ୍ରବଳ ପବନ କାରଣରୁ ଟ୍ରେନ ମଧ୍ୟରେ ବାୟୁ ନିଷ୍କାସନ ହୋଇ ନପାରିବାରୁ ଟ୍ରେନଟିକୁ ପବନ ଠେଲି ନେଇ ନଦୀରେ ପକାଇ ଦେଇଥିଲା ।

କହିରଖୁ କି ଏହି ଟ୍ରେନ ଦୁର୍ଘଟଣା ଭାରତର ସବୁଠାରୁ ବଡ ଓ ବିଶ୍ୱର ଦ୍ୱିତୀୟ ବଡ ରେଳ ଦୁର୍ଘଟଣା ବୋଲି କୁହାଯାଏ । ବିଶ୍ୱର ସବୁଠାରୁ ବଡ ଟ୍ରେନ ଦୁର୍ଘଟଣା ୨୦୦୪ ମସିହାରେ ଶ୍ରୀଲଙ୍କାରେ ହୋଇଥିଲା ୨୦୦୪ରେ ହୋଇଥିବା ଏହି ଦୁର୍ଘଟଣାରେ ୧୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।