ପାଣିରେ ବୁଡିଗଲା ସ୍କୁଲ ବସ୍, ସୁରକ୍ଷିତ ଉଦ୍ଧାର ହେଲେ ସମସ୍ତ ଛାତ୍ର ଛାତ୍ରୀ

377

କନକ ବ୍ୟୁରୋ : ଦକ୍ଷୀଣ ପୂର୍ବ ମୌସୁମୀ ବାୟୁ ସକ୍ରିୟ ହୋଇଥିବା କାରଣରୁ ସାରା ଦେଶରେ ବର୍ଷା ଲାଗି ରହିଛି । ଏହି କାରଣରୁ କିଛି ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଆଜି ତେଲେଙ୍ଗାନାର ଏକ ଅଭାବନୀୟ ଚିତ୍ର ସମସ୍ତଙ୍କୁ ବିଚଳିତ କରିଛି । ୩୦ ଜଣ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍ ହଠାତ ପାଣିରେ ବୁଡିଯାଇଥିଲା । ବସଟି ରେଲୱେ ଓଭର ବ୍ରିଜ ପାର ହେଉଥିବା ବେଳେ ଏଭଳି ଘଟଣା ଘଟିଥିଲା । ବସଟି ପାଣିରେ ବୁଡିଯିବା ପରେ ବସରେ ଥିବା ସମସ୍ତ ପିଲା ବି ପାଣିରେ ବୁଡିଯାଇଥିଲେ ।

ଏହା ଦେଖିବା ପରେ ସ୍ଥାନୀୟ ଲୋକମାନେ ପାଣିରେ ଭାସି ଭାସି ଯାଇ ଜଣଙ୍କ ପରେ ଜଣେ ପିଲାମାନଙ୍କୁ ଉଦ୍ଧାର କରିଛନ୍ତି । ଏହି ଉଦ୍ଧାର କାର୍ଯ୍ୟ ଏତେ ସହଜ ନଥିଲେ ବି ସ୍ଥାନୀୟ ଲୋକଙ୍କ ସାହସିକତା କାରଣରୁ ଏହା ସମ୍ଭବ ହୋଇ ପାରିଛି । ଏପଟେ ସ୍ଥାନୀୟ ଲୋକମାନେ ବସ୍ ଚାଳକଙ୍କୁ ସମସ୍ତ ଦୋଷ ଦେଇଛନ୍ତି । ସେମାନେ କହିଛନ୍ତି କି ଚାଳକ ଜଣଙ୍କ ପାଣିର ଗଭୀରତା ନଜାଣି ତା ଭିତରକୁ ବସ୍ ପୁରାଇ ଦେବାରୁ ଏଭଳି ଘଟଣା ଦେଖିବାକୁ ମିଳିଛି ।

 

କହିରଖୁ କି ତେଲେଙ୍ଗାନରେ ପୂର୍ବ ୨ ଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି । ଏହି କ୍ରମରେ ଅନ୍ୟ ଜିଲ୍ଲା ତୁଳନାରେ ଏଭଳି ଘଟଣା ଘଟିଥିବା ମେହବୁବାନଗର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି ।