ନବୀନ ନିବାସରେ ଏକାଠି ଖାଇଲେ ନବୀନ-ଦ୍ରୌପଦୀ । ମଧ୍ୟାହ୍ନ ଭୋଜନ ପାଇଁ ଭାବି ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ ନବୀନ ।

222

କନକ ବ୍ୟୁରୋ: ନବୀନ ନିବାସରେ ଏକାଠି ଖାଇଲେ ନବୀନ ପଟ୍ଟନାୟକ ଓ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ମଧ୍ୟାହ୍ନ ଭୋଜନ ପାଇଁ ଭାବି ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ ନବୀନ ଆଉ ଏହାପରେ ନବୀନଙ୍କ କଥା ରଖି ଦ୍ରୌପଦୀ ମୁର୍ମୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକାଠି ଭୋଜନ କରିଛନ୍ତି । ତାଙ୍କ ସାଥିରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ବିଜେଡ଼ି ସାଂସଦ ପିନାକୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିବା ପରେ ସମର୍ଥନ ଲୋଡିବା ପାଇଁ ପ୍ରଥମ ଥର ପାଇଁ ଓଡିଶାକୁ ଆସିଥିବା ବେଳେ ଦ୍ରୌପଦୀଙ୍କୁ ସ୍ୱାଗତ କରିଥିଲେ ନବୀନଙ୍କ ସମେତ ଦଳର ବିଧାୟକ, ସାଂସଦ ଓ ନେତା । ତାପରେ ଦ୍ରୌପଦୀ ବିଜେଡି ନେତାମାନଙ୍କ ସହ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବସି ଆଲୋଚନା କରିିଥିଲେ । ଆଲୋଚନା ଆରମ୍ଭରୁ ଭାବବିହ୍ୱଳ ହୋଇପଡିଥିଲେ ଦ୍ରୌପଦୀ ମୁର୍ମୁ । ନବୀନଙ୍କୁ ଭାଇ ବୋଲି ସମ୍ବୋଧନ କରିଥିଲେ ଆଉ କହିଥିଲେ ରାଖି ବାନ୍ଧିଥିଲି ରାକ୍ଷୀର ପାଉଣା ମାଗିବା ପୂର୍ବରୁ ଭାଇ ଉପହାର ଦେଇଦେଲେ ।

ଦ୍ରୌପଦୀ ଆହୁରି ମଧ୍ୟ କହିଥିଲେ ଯେ, ପ୍ରାର୍ଥୀ ଘୋଷଣାବେଳେ ବିଦେଶରୁ ଥାଇ ମୋ ସହ ଫୋନରେ କଥା ହୋଇଥିଲେ । ମନ୍ତ୍ରୀ ଥିଲି ବହୁ କାମ କରିଛି । ରାଷ୍ଟ୍ରପତି ହେଲେ ଓଡିଶା ସୁନ୍ଦର ଭାବେ ବଢ଼ିବ । ଦ୍ରୌପଦୀଙ୍କ ସମ୍ବୋଧନ ପରେ ତାଙ୍କୁ ଭୋଟ ଦେବାକୁ ସମସ୍ତ ନେତାଙ୍କୁ ଅପିଲ କରିଥିଲେି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।