ଗୋଟିଏ ବୀମା ପଲିସିରେ କଭର ହେବ ଆପଣଙ୍କର ଏକାଧିକ ଗାଡି, ବୀମାଦେୟ ଦେବାକୁ ହେବ କମ

195

କନକ ବ୍ୟୁରୋ : ଯଦି ଆପଣଙ୍କ ପାଖରେ ଗୋଟିଏରୁ ଅଧିକ ଗାଡି ରହିଛି ତେବେ ଏହା ଆପଣଙ୍କ ପାଇଁ ଏକ ଖୁସି ଖବର । ଏବେ ଆପଣଙ୍କୁ ଆପଣଙ୍କର ପ୍ରତ୍ୟକ ଗାଡି ପାଇଁ ଭିନ୍ନ ଭିନ୍ନ ବୀମା କରିବାକୁ ପଡିବ ନାହିଁ । ଆପଣ ଏବେ ଗୋଟିଏ ବୀମା ପଲିସିରେ ଆପଣଙ୍କର ସମସ୍ତ ଗାଡିକୁ ବୀମାଭୂକ୍ତ କରିପାରିବେ । ଏନେଇ ସରକାର ଆଣିଛନ୍ତି ମୋଟର ଫ୍ଲୋଟର ଇନସ୍ୟୁରାନ୍ସ ପଲିସି ।

ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ ତରଫରୁ ଦେଶର ବୀମା କମ୍ପାନୀ ମାନଙ୍କୁ ମୋଟର ଫ୍ଲୋଟର ଇନସ୍ୟୁରାନ୍ସ ପଲିସି ଲାଗୁ କରିବାକୁ ସହମତି ପ୍ରଦାନ କରିଛନ୍ତି । ମନିକଣ୍ଟ୍ରୋଲ ଡଟ୍ କମ୍ ର ଏକ ରିପୋର୍ଟ ମୁତାବକ ମୋଟର ଫ୍ଲୋଟର ପଲିସି ମେଡିକାଲ ପଲିସି ଫ୍ଲୋଟର ଭଳି କାମ କରିବ । ମେଡିକାଲ ପଲିସିରେ ଯେଭଳି ଗୋଟିଏ ପଲିସି ନେଇ ସାରା ପରିବାରର ସ୍ୱାସ୍ଥ୍ୟବୀମା କରିପାରୁଛନ୍ତି ସେହିଭଳି ମୋଟର ଫ୍ଲୋଟର ପଲିସି ମାଧ୍ୟମରେ ଆପଣ ଗୋଟିଏ ପଲିସି ମାଧ୍ୟମରେ ଆପଣଙ୍କର ସମସ୍ତ ଗାଡିକୁ ବୀମାଭୂକ୍ତ କରିପାରିବେ ।

ସେପଟେ ଏହି ପଲିସି ଲାଗୁହେବା ପରେ ଆପଣଙ୍କ ବୀମାଦେୟ କମିଯିବ ବୋଲି ବୀମା ବିଶ୍ଲେଷକମାନେ କହିଛନ୍ତି । ଅର୍ଥାତ ଯଦି ଆପଣଙ୍କ ପାଖରେ ୩ ଟି ଗାଡି ରହିଛି ତାହାର ୩ ଟି ବୀମା କରିବା ପାଇଁ ଯେତିକି ଦେୟ ଦେବାକୁ ପଡୁଥିଲା ଏହି ପଲିସି ମାଧ୍ୟମରେ ଆପଣଙ୍କୁ କମ୍ ବୀମାଦେୟ ଦେବାକୁ ପଡିବ ।

ସେପଟେ ମୋଟର ଫ୍ଲୋଟର ପଲିସ କେବଳ ସେହି ଲୋକମାନେ ନେଇପାରିବେ ଯାହା ପାଖରେ ଏକାଧିକ ଗାଡିଥିବ । ଏହାସହ ସେହି ଗାଡିଗୁଡିକ ଗୋଟିଏ ଲୋକ ନାମରେ ପଞ୍ଜିକୃତ ହୋଇଥିବା ଆବଶ୍ୟକ । ଏହାସହ କୁହାଯାଇଛି କି ଗୋଟିଏ ପଲିସ ଅଧିନରେ ସର୍ବାଧିକ ୫ ଟି ଗାଡି ବୀମାଭୂକ୍ତ ହୋଇପାରିବ ।