ଦିଲ୍ଲୀର ମୁଣ୍ଡକାରେ ଭୟାବହ ଅଗ୍ନିକାଣ୍ଡ: ୩ ମହଲା କୋଠୀରେ ନିଆଁ ଲାଗିଯିବାରୁ ୨୬ ଜୀବନ୍ତ ଦଗ୍ଧ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ 

315

କନକ ବ୍ୟୁରୋ: ଦିଲ୍ଲୀରେ ଭୟାବହ ଅଗି୍ନକାଣ୍ଡ । ୩ ମହଲା ବିଶିଷ୍ଟ ଏକ ବ୍ୟବସାୟ ପ୍ରତିଷ୍ଠାନରେ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡରେ ୨୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ସୂଚନା ମିଳିଛି । ମୃତାହତ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଆଜି ସଂଧ୍ୟାରେ କୌଣସି କାରଣରୁ ଦିଲ୍ଲୀର ମୁଣ୍ଡ୍କା ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏହି ବ୍ୟବସାୟିକ ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା । ପ୍ରଥମ ମହଲାରେ ନିଆଁ ଲାଗିବା ପରେ ଚାହୁଁ ଚାହୁଁ ଏହା ବ୍ୟାପି ଯାଇଥିଲା ।

ପୂରା କୋଠା ନିଆଁ କବଜାକୁ ଆସି ଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ତାକୁ ଆୟତ କରିବାକୁ ନୟାନ୍ତ ହୋଇ ପଡିଛନ୍ତି ଅଗ୍ନିଶମ କର୍ମଚାରୀ । ୨୬ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୩୦ ଜଣ ଆହତଙ୍କୁ ବିଲଡିଂ ଭିତରୁ ବାହାର କରାଯାଇଛି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅନେକ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆହୁରି ଅନେକ ଲୋକ କୋଠା ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଉଛି । ୨୪ଟି ଦମକଳ ବାହିନୀ ଉଦ୍ଧାର କାମରେ ଲାଗିଛନ୍ତି । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ପୁଲିସ ଓ ଅଗ୍ନିଶମ ବାହିନୀ । ବିଲଡିଂର ମାଲିକକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଏହି ଘଟଣାରେ ରାଷ୍ଟ୍ରପତି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିଛନ୍ତି ।