ଦିଲ୍ଲୀର ମୁଣ୍ଡକାରେ ଭୟାବହ ଅଗ୍ନିକାଣ୍ଡ : ୩ ମହଲା କୋଠାରେ ନିଆଁ ଲାଗିଯିବାରୁ ୨୭ ଜୀବନ୍ତ ଦଗ୍ଧ; ୪୦ରୁ ଅଧିକ ଆହତ ଉଦ୍ଧାର

93

କନକ ବ୍ୟୁରୋ : ଦିଲ୍ଲୀରେ ଭୟାବହ ଅଗି୍ନକାଣ୍ଡ । ୪ ମହଲା ବିଶିଷ୍ଟ ଏକ ବ୍ୟବସାୟ ପ୍ରତିଷ୍ଠାନରେ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡରେ ୨୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ସୂଚନା ମିଳିଛି । ମୃତାହତ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଶୁକ୍ରବାର ସଂଧ୍ୟାରେ କୌଣସି କାରଣରୁ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏହି ବ୍ୟବସାୟିକ ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା ।

ପ୍ରଥମ ମହଲାରେ ନିଆଁ ଲାଗିବା ପରେ ଚାହୁଁ ଚାହୁଁ ଏହା ବ୍ୟାପି ଯାଇଥିଲା । ପୂରା କୋଠା ନିଆଁ କବଜାକୁ ଆସି ଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ତାକୁ ଆୟତ କରିବାକୁ ନୟାନ୍ତ ହୋଇ ପଡିଛନ୍ତି ଅଗ୍ନିଶମ କର୍ମଚାରୀ । ଦ୍ୱିତୀୟ ମହଲାରୁ ୨୭ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୪୦ ଜଣ ଆହତଙ୍କୁ ବିଲଡିଂ ଭିତରୁ ବାହାର କରାଯାଇଛି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ଆହୁରି ଅନେକ ଲୋକ କୋଠା ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଉଛି । ୩୦ଟି ଦମକଳ ବାହିନୀ ଉଦ୍ଧାର କାମରେ ଲାଗିଛନ୍ତି । ଏବେବି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ପୁଲିସ ଓ ଅଗ୍ନିଶମ ବାହିନୀ । ଘଟଣା ପରେ ବିଲଡିଂର ମାଲିକକୁ ଗିରଫ କରାଯାଇଛି । ତେବେ ଏହି ଘଟଣାରେ ଗିରଫଦାରୀ ଆହୁରି ବଢ଼ିପାରେ ବୋଲି ସୂଚନା ଦେଇଛି ଦିଲ୍ଲୀ ପୋଲିସ । ଏହି ଘଟଣାରେ ରାଷ୍ଟ୍ରପତି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିଛନ୍ତି ।

ସେପଟେ ଏପରି ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍ କରି ଲେଖିଛନ୍ତି, ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ୍ ପାଖରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ଖୁବ୍ ବ୍ୟଥିତ । ଶୋକସନ୍ତପ୍ତ ପରିବାର ଲୋକଙ୍କ ପ୍ରତି ମୋର ସମବେଦନା । ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାକୁ ନେଇ ମର୍ମାହତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ଏହି ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘୋଷଣା କରିଛି । ସେହିପରି ଆହତଙ୍କ ପାଇଁ ୫୦ହଜାର ଟଙ୍କା ଲେଖାଏଁ ଘୋଷଣା କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଏଭଳି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।