ବ୍ୟାଙ୍କ କ୍ଷେତ୍ରରେ ବଡ଼ ସଂସ୍କାର : ୧୦ଟି ବ୍ୟାଙ୍କ ମିଶି ହେଲା ୪ଟି ବଡ଼ ବ୍ୟାଙ୍କ, କେଉଁ ବ୍ୟାଙ୍କ ସହ ମିଶିଲା କେଉଁ ବ୍ୟାଙ୍କ, ଜାଣନ୍ତୁ…

3,605

କନକ ବ୍ୟୁରୋ: ବ୍ୟାଙ୍କ କ୍ଷେତ୍ରରେ ବଡ଼ ସଂସ୍କାର କଲେ କେନ୍ଦ୍ର ସରକାର । ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବାରୁ ତାହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଆର୍ଥିକ ସଂସ୍କାର ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଛନ୍ତି । ତେଣୁ ଅନେକ ପବ୍ଲିକ ସେକ୍ଟର ବ୍ୟାଙ୍କକୁ ମିଶ୍ରିତ କରି ଗୋଟିଏ ବ୍ୟାଙ୍କ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ମର୍ମରେ ପିଏନବି, ୟୁନାଇଟେଡ୍ ବ୍ୟାଙ୍କ ଏବଂ ଓବିସି ବ୍ୟାଙ୍କ ମିଶି ହେଲା ଗୋଟିଏ ବ୍ୟାଙ୍କ । ଯାହାର ମିଶ୍ରଣ କାରବାର ୧୭.୯୫ ଲକ୍ଷ କୋଟି ରହିଛି । ସେହିଭଳି କାନାରା ବ୍ୟାଙ୍କ ଓ ସିଣ୍ଡିକେଟ୍ ବ୍ୟାଙ୍କ ମିଶି ହେଲା ଗୋଟିଏ ବ୍ୟାଙ୍କ । ଯାହାର ମିଶ୍ରଣ କାରବାର ହେଉଛି ୧୫.୨୦ ଲକ୍ଷ କୋଟି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।

ଅନ୍ୟପଟେ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ୍ ବ୍ୟାଙ୍କ ମିଶି ହେଲା ଭାରତର ପଞ୍ଚମ ବୃହତ ବ୍ୟାଙ୍କ । ଏହାବାଦ୍ ଆହ୍ଲାବାଦ ବ୍ୟାଙ୍କ ଏବଂ ଇଣ୍ଡିଆନ ମିଶ୍ରିତ ଭାବେ ହେଲା ଗୋଟିଏ ବ୍ୟାଙ୍କ । ଯାହାର ମିଶ୍ରଣ କାରବାର ରହିଛି ୮.୦୮ ଲକ୍ଷ କୋଟି, ତେଣୁ ଏହା ଦେଶର ସପ୍ତମ ବୃହତ୍ତ ବ୍ୟାଙ୍କ ହେଲା ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।

ତେବେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କହିବା ମୁତାବକ, ଦେଶରେ ବର୍ତ୍ତମାନ ୨୭ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ମଧ୍ୟରୁ ୧୦ଟି ବ୍ୟାଙ୍କ ବିଲୟ କରାଯାଇଛି । ତେଣୁ ଏହା ଦ୍ୱାରା ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ତୁରନ୍ତ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।