ଦକ୍ଷିଣରେ ପ୍ରବଳ ବର୍ଷା

72

କନକ ବ୍ୟୁରୋ: ଆନ୍ଧ୍ର ପ୍ରଦେଶ ଉପକୂଳ ଏବଂ ଏହାର ଆଖପାଖ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଏହା ସହିତ ଉତ୍ତର, ଉପକୂଳ, ଆଭ୍ୟନ୍ତରୀଣ ଅଞ୍ଚଳର କିଛି ସ୍ଥାନରେ ଘଡ଼ଘଡ଼ି ସହିତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଗତକାଲି ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଅବଶ୍ୟ ଦିନେ ଦୁଇଦିନ ଭିତରେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ଲଘୁଚାପ ହେଲେ ଉତ୍ତର, ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ । ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଥିଲା ।

ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୬୦ ମିଲିମିଟର ବର୍ଷା ହୋଇଥିବା ବେଳେ ଆସ୍କାରେ ୫୦ ମି.ମି. ବର୍ଷା ହୋଇଥିଲା । ସେହିପରି ମୟୂରଭଞ୍ଜର ଚନ୍ଦନପୁର, ପଟ୍ଟାଙ୍ଗୀ, ଟାଙ୍ଗୀ, ଦାରିଙ୍ଗିବାଡ଼ିରେ ୪୦ ମି.ମି., ନୟାଗଡ଼, ଜଗନ୍ନାଥପ୍ରସାଦ, ଓଡ଼ଗାଁ, ଭଞ୍ଜନଗର, ଦଶପଲ୍ଲା, ସିମିଳିଗୁଡ଼ା, ଭୁବନରେ ୩୦ ମି.ମି. ବର୍ଷା ହୋଇଥିଲା । ଗତକାଲି ସନ୍ଧ୍ୟା ସୁଦ୍ଧା ଦାରିଙ୍ଗିାବାଡ଼ିରେ ୩୩ ମି.ମି., ଢେଙ୍କାନାଳରେ ୧୬ ମି.ମି., ମାଲକାନଗିରିରେ ୧୧ ମି.ମି., ଅନୁଗୁଳରେ ୧୦ ମି.ମି. ଏବଂ ଅନ୍ୟାନ୍ୟ ସ୍ଥାନରେ ସାମାନ୍ୟ ବର୍ଷା ରେକର୍ଡ କରାଯାଇଛି ।