ଭୁବନେଶ୍ୱର : ଟାଉନ୍‌ ସେଣ୍ଟର୍‌ ଡିଜାଇନ୍‌ ପ୍ରସ୍ତୁୁତ କରିବ ସିଙ୍ଗାପୁର ସଂସ୍ଥା

24

କନକ ବ୍ୟୁରୋ : ସ୍ମାର୍ଟ ସିଟି ଭୁବନେଶ୍ୱରର ସବୁଠୁ ବଡ଼ ପିପିପି ପ୍ରକଳ୍ପ ଭୁବନେଶ୍ୱର ଟାଉନ୍‌ ସେଣ୍ଟର୍‌ର ଡିଜାଇନ୍‌ ପ୍ରସ୍ତୁତ କରିବ ସିଙ୍ଗାପୁରର ‘ସୁରବାନା ଜୁରଙ୍ଗ’ ସଂସ୍ଥା । ରାଜଧାନୀର ସବୁଠୁ ଅଧିକ ବ୍ୟବସ୍ଥିତ ଢଙ୍ଗରେ ଗମନାଗମନ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବା ଏହି ଟାଉନ୍‌ ସେଣ୍ଟର୍‌ରେ ଦେଶର ପ୍ରଥମ ଟ୍ରାନଜିଟ୍‌ ଓରିଏଣ୍ଟେଡ୍‌ ଡେଭଲପମେଣ୍ଟ (ଟିଓଡି) ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏଥିପାଇଁ ସଂସ୍ଥା ୮କୋଟି ନେବ ।

ଭୁବନେଶ୍ୱର ଟାଉନ୍‌ ସେଣ୍ଟର୍‌ ଡିଜାଇନ୍‌ ପ୍ରସ୍ତୁତ ପାଇଁ ଅନ୍ତର୍ଜାତୀୟସ୍ତରରେ ଟେଣ୍ଡର୍‌ ହୋଇଥିବା ବେଳେ ସିଙ୍ଗାପୁରର ‘ସୁରବାନା ଜୁରଙ୍ଗ’ ସଂସ୍ଥା ଯୋଗ୍ୟ ବିବେଚିତ ହୋଇଛି । ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳରେ ୧୨ଏକର ଜମିରେ ଏହି ଯୋଜନା ହେବାକୁ ଥିବା ବେଳେ ଏଠାରେ ଥିଏଟର୍‌ ପ୍ଲାଜା, ସପିଂ ମଲ୍‌, ନେଚର୍‌ ପ୍ଲାଜା, ମାର୍କେଟ୍‌ କମ୍ପ୍ଲେକ୍ସ, ଲ୍ୟାଣ୍ଡସ୍କେପ୍‌, ଟାଉନ୍‌ ପ୍ଲାଜା, ଆର୍ଟ ପ୍ଲାଜା, ଏକ୍ସପେରିଏନ୍ସ ପ୍ଲାଜା, ଚିଲରେନ୍ସ ପ୍ଲାଜା, ଫୁଡ୍‌ କୋର୍ଟ, ଆପାର୍ଟମେଣ୍ଟ, ସାଇକେଲିଂ ଟ୍ରାକ୍‌, ସ୍ୱତନ୍ତ୍ର ପାଦଚଲା ରାସ୍ତା ଆଦି ରହିବ ।

ରେଳ ଷ୍ଟେସନ୍‌ ମଲ୍ଟି ମୋଡାଲ୍‌ ହବ୍‌ରେ ରେଳଷ୍ଟେସନ୍‌ର ଆଧୁନିକୀକରଣ ହେବା ସହ ବସ୍‌ ଟର୍ମିନାଲ, ବହୁତଳ କାର୍‌ ପାର୍କିଂ, କନଭେନସନ୍‌ ସେଣ୍ଟର୍‌, ସ୍ୱତନ୍ତ୍ର ବାଇସାଇକେଲ୍‌ ଓ ପାଦଚଲା ବ୍ରିଜ୍‌, ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ରହିବ । ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏସ୍‌ପିଭି ଗଠନ କରିବାକୁ ଘୋଷଣା କରିଥିବା ବେଳେ ଏହା ୫ବର୍ଷ ମଧ୍ୟରେ କିପରି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ତାହାର ତଦାରଖ କରିବ ।