କେରଳରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୟୁଏଇର ୭୦୦କୋଟି ଟଙ୍କାର ସହାୟତା ରାଶି ଘୋଷଣା । ସେପଟେ ଓଡିଶା ସମେତ ଅନେକ ରାଜ୍ୟ ବଢାଇଲେ ସହାୟତାର ହାତ

56

କନକ ବ୍ୟୁରୋ : କେରଳରେ ଲଗାଣ ବର୍ଷାରେ ଅନେକ କ୍ଷତି ହୋଇଛି । ସ୍ଥାନୀୟ ସରକାରଙ୍କ କହିବା ଅନୁସାରେ ପ୍ରାୟ ୨୫ହଜାର କୋଟି ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି । ବର୍ତ୍ତମାନ ସମୟରେ ୩୫୦ରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରାଣ ହରାଇ ସାରିଲେଣି । ତେବେ କେରଳକୁ ଅନେକ ରାଜ୍ୟ ସହାୟତାର ହାତ ବଢାଇବା ସହ ବିଦେଶୀ ରାଷ୍ଟ୍ରମାନେ ମଧ୍ୟ ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ୟୁଏଇ ସରକାର କେରଳକୁ ବନ୍ୟା ସହାୟତାରେ ୭୦୦ କୋଟି ଟଙ୍କା ଦେବା ପାଇଂ ଘୋଷଣା କରିଛନ୍ତି । ତେବେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ, କେରଳ ଯେଉଁ ପ୍ରକାରର କ୍ଷତି ହୋଇଛି ତାହାକୁ ନଜରରେ ରଖି ସାରା ବିଶ୍ୱରୁ ସହାୟତା ଆସୁଛି ।

 

କେବଳ ବାହାର ରାଷ୍ଟ୍ର ନୁହେଁ ବରଂ ଅନେକ ରାଜ୍ୟରୁ ସହାୟତା ଆସୁଛି । ତେବେ କେନ୍ଦ୍ର ସରକାର ମଧ୍ୟ ୫୦୦କୋଟିର ମଧ୍ୟବର୍ତ୍ତୀ କାଳୀନ ସହାୟତା ରାଶି ଘୋଷଣା କରିବା ସହ ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ୧୦୦କୋଟି ଟଙ୍କାର ସହାୟତ ରାଶି ଘୋଷଣା କରିଛନ୍ତି । ଏହାସହ କେନ୍ଦ୍ର ସମସ୍ତ ପ୍ରକାର ସହାୟତ ଯୋଗାଇ ଦେବ ବୋଲି କହିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଓଡିଶା ୧୦ କୋଟିର ସହାୟତା ଦେବା ସହ ୮କୋଟି ଟଙ୍କାର ପଲିଥିନି ଯୋଗାଇ ଦେଇଛି ଓ ୨୫୦ଜଣିଆ ଉଦ୍ଧାରକାରୀ ଦଳଙ୍କୁ ମଧ୍ୟ ସେଠାକୁ ପଠାଇଛି, ସେହିପରି ଝାଡଖଣ୍ଡ ୫ କୋଟି, ଦିଲ୍ଲୀର ସମସ୍ତ ଆପ୍ ଦଳର ବିଧାୟକମାନେ ନିଜର ଏକମାସର ଦରମା କେରଳକୁ ଦେବେ ସେହିପରି ବିହାର ୧୦କୋଟି, ଗୁଜୁରାଟ ୧୦କୋଟି, ମହାରାଷ୍ଟ୍ର ୨୦କୋଟି, ଉତ୍ତରପ୍ରଦେଶ ୧୫କୋଟି, ତାମିଲନାଡୁ ୫କୋଟି ସହ ୫୦୦ ମେଟ୍ରିକ ଟନ ଚାଉଳ ଓ ୩୦୦ ମେଟ୍ରିକ ଟନ ଦୁଗ୍ଧ ପାଉଡର, ହରିୟାନା ୧୦ କୋଟି, ପଞ୍ଜାବ ୧୦ କୋଟି ଟଙ୍କାର ସହାୟତା ଦେବା ସହ କଂଗ୍ରେସର ସମସ୍ତ ବିଧାୟକ ଓ ସାସଂଦମାନେ ନିଜର ଏକ ମାସର ଦରମା ସେଠାକାର ଲୋକମାନଙ୍କୁ ଦେବାପାଇଂ ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ସେଠାରେ ଉଦ୍ଧାର କାରୀ ଦଳମାନେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରୁଛନ୍ତି ।