କାହିଁକି ବିନା ବର୍ଷାରେ ବୁଡିଲା ମାଲକାନଗିରି: ବନ୍ୟା କଲା କି ପୋଲାଭରମ ପ୍ରକଳ୍ପର ଫେରନ୍ତା ପାଣି ? ଅନୁସନ୍ଧାନ ପାଇଁ ଟିମ ପଠାଇଲେ ସରକାର

28

କନକ ବ୍ୟୁରୋ: ବୁଡାଇଦେଲା ପୋଲାଭରମ୍ । ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପୋଲାଭରମ୍ ଡ୍ୟାମ୍ ଯୋଗୁଁ ସାବେରୀର ଫେରନ୍ତା ପାଣି ମାଲକାନଗିରିରେ ବନ୍ୟା ଆଣିଛି । ଯେଉଁ ଆଶଙ୍କା କରାଯାଉଥିଲା ତାହା ଏବେ ସତ ହୋଇଛି । ସାବେରୀ ଓ ସିଲେରୁ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ଏସବୁ ନଦୀର ପାଣି ଗୋଦାବରୀ ନଦୀରେ ନିଷ୍କାସନ ହୋଇପାରୁନାହିଁ ଏବଂ ବ୍ୟାକ୍ ୱାଟର ବା ଫେରନ୍ତା ପାଣି ମାଲକାନଗିରିର ଅନେକ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ପୋଲାଭରମ୍ ପ୍ରକଳ୍ପ ହେଲେ ମାଲକାନଗିରି ବୁଡିଯିବ କହି ଓଡିଶା ସରକାର ଲଗାତର ଭାବେ ଏହି ପ୍ରକଳ୍ପକୁ ବିରୋଧ କରିଆସୁଛନ୍ତି । ସାବେରୀ ଓ ସିଲେରୁ ନଦୀର ସଙ୍ଗମସ୍ଥଳରୁ ଗୋଦାବରୀ ନଦୀ ଆରମ୍ଭ ହୋଇଛି ।

ଲଗାଣ ବର୍ଷା ଓ ବ୍ୟାକଲଗ୍ ୱାଟର ଯୋଗୁଁ ଚିନ୍ତାରେ ରହିଛନ୍ତି ମାଲକାନଗିରିବାସୀ । ଓଡିଶା, ତେଲଙ୍ଗାନା ଓ ଛତିଶଗଡ ସରକାର ଦୀର୍ଘ ଦିନ ଧରି ଏହି ପ୍ରକଳ୍ପକୁ ବିରୋଧ କରିଆସୁଥିବା ବେଳେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ. ରାଜଶେଖର ରେଡ୍ଡୀ ଓଡିଶା ଓ ଛତିଶଗଡକୁ କୌଣସି ଅଂଚଳ ଜଳମଗ୍ନ ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଏପଟେ ପୋଲାଭରମ୍ ଡ୍ୟାମ୍ ର ଉଚ୍ଚତା ୧୫୦ ଫୁଟ ଭିତରେ ରହୁ ଏବଂ ବନ୍ୟା ସମୟରେ ଡ୍ୟାମରୁ ସେକେଣ୍ଡ ପିଛା ୫ ମିଲିଅନ୍ କ୍ୟୁସେକ୍ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉ ବୋଲି ଓଡିଶା ଦାବି କରିଆସୁଥିଲା । ପୋଲାଭରମ୍ ଲାଗି ଆନ୍ଧ୍ର ଓ ତେଲଙ୍ଗାନାର ୩ ଶହ ଗାଁ ଓ ମାଲକାନଗିରିର ୨୫ ଗାଁ ସହ ଛତିଶଗଡ ସୁକମା ଜିଲ୍ଲାର କିଛି ଆଦିବାସୀ ଗାଁ ବିସ୍ଥାପିତ ହେବାର ଆଶଙ୍କା ରହିଛି । ଅନୁସନ୍ଧାନ ପାଇଁ ଏକ ଟିମ ସରକାର ପଠାଇଛନ୍ତି । ରିପୋର୍ଟ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।

ସେପଟେ , ପୋଲାଭରମ ଯୋଗୁଁ ମାଲକାନଗିରି ବନ୍ୟା ନେଇ ବିଜେପି ପ୍ରତିକ୍ରିୟା ରଖିଛିା ଦଳ କହିଛି, ସରକାର ମିଛ କହୁଛନ୍ତି. ଅନ୍ୟ ଉପରେ ଦୋଷ ଲଦି ନିଜେ ଖସିିଯିବା ଏହି ସରକାରଙ୍କ ଅଭ୍ୟାସ । ପୋଲାଭରମ ନଥିବାବେଳେ ମଧ୍ୟ ସେହି ସ୍ଥାନରେ ବନ୍ୟା ହୁଏ । କୌଣସି ପ୍ରତିକାର ଏଯାଏଁ କରିପାରିଲେ ନାହିଁ ସରକାର ।