ଖୁବଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ! ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ

38

କନକ ବ୍ୟୁରୋ : ଓଡିଶା-ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ଲାଗି ଗଠନ ହେବ ଟ୍ରିବ୍ୟୁନାଲ । ଆଜି ଟ୍ରିବ୍ୟୁନାଲ ଗଠନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । ନଦୀ ଜଳ ବିବାଦ ଆଇନ-୧୯୫୬ ଆଧାରରେ ଏହି ଟ୍ରିବ୍ୟୁନାଲ ଗଠନ ହେବ । ଉଭୟ ରାଜ୍ୟ ଭିତରେ ବିବାଦ ଓ ଏହାର ସମାଧାନ ନେଇ ୩ ବର୍ଷ ଭିତରେ ରିପୋର୍ଟ ଦେବ ଟ୍ରିବ୍ୟୁନାଲ । ଆବଶ୍ୟକ ପଡିଲେ ଆଉ ୨ ବର୍ଷ ବଢିପାରେ ଟ୍ରିବ୍ୟୁନାଲର କାର୍ଯ୍ୟର୍କାଳ ।

ଟ୍ରିବ୍ୟୁନାଲରେ ଜଣେ ଅଧ୍ୟକ୍ଷ ଓ ଦୁଇଜଣ ସଦସ୍ୟ ରହିବେ । ଏମାନଙ୍କୁ ସୁପ୍ରିମକୋର୍ଟ ବାଛିବେ । ମହାନଦୀ ଜଳ ବିବାଦର ସମାଧାନ ନେଇ ୧ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆଜି ଟ୍ରିବୁନାଲ ଗଠନକୁ ମଂଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ ।

ଛତିଶଗଡ଼ରେ ମହାନଦୀର ଉପର ମୁଣ୍ଡରେ ସେଠାକାର ରାଜ୍ୟ ସରକାର ଏକାଧିକ ଜଳଭଣ୍ଡାର ନିର୍ମାଣ ଆରମ୍ଭ କରିଥିବାରୁ ଓଡ଼ିଶା ପ୍ରତି ଜଳ ସଙ୍କଟ ଉପୁଜିବାର ସମ୍ଭାବନା ଦେଖା ଦେଇଛି। ଏହାର ଆପୋସ ସମାଧାନ ପାଇଁ ଛତିଗଡ଼ ଏବଂ କେନ୍ଦ୍ର ସରକାର କହି ଆସୁଥିଲେ। ନିର୍ମାଣକୁ ବିରୋଧ କରିବା ସହ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଉପୁଜି ଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରାଯିବାକୁ ଓଡ଼ିଶା ସରକାର ଦାବି କରିଥିଲେ।