ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ବଡ ଆତଙ୍କୀ ହମଲା । ପେଟପାଟଣା ପାଇଁ କାଶ୍ମୀରରେ କାମ କରୁଥିବା ଶ୍ରମିକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୫ ମୃତ, ଜଣେ ଗୁରୁତର ।

652

ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ । ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ବଡ ଧରଣର ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଆଉ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ନିରୀହ ଶ୍ରମିକ । ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରୋଜଗାର ଅନ୍ୱେଷଣରେ ବାହାର ରାଜ୍ୟରୁ କାଶ୍ମୀରକୁ ଆସିଥିବା ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ ।

ଏଭଳି ଆକ୍ରମଣ ସେତେବେଳେ ହୋଇଛି ଯେତେବେଳେ କାଶ୍ମୀରର ସ୍ଥିତି ଦେଖିବା ପାଇଁ ୟୁରୋପୀୟ ୟୁନିୟନରୁ ୨୮ ଜଣ ସାଂସଦ ଜମ୍ମୁ-କାଶ୍ମୀର ଆସିଛନ୍ତି । ସାଂସଦଙ୍କ ଗସ୍ତ କାରଣରୁ ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ଆତଙ୍କବାଦୀ ମାନେ ନିରୀହ ଲୋକଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ।

ଏହାପୂର୍ବରୁ ଏହି ଅଞ୍ଚଳରେ ସୁରକ୍ଷା ଏଜେନ୍ସି ପକ୍ଷରୁ ୪୮ ଘଣ୍ଟିଆ ଆଲର୍ଟ ମଧ୍ୟ ଜାରି କରାଯାଇଥିଲା । ଏପରିକି ଜମ୍ମୁ-କାଶ୍ମୀର ଓ ଦିଲ୍ଲୀରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସୁରକ୍ଷା ଏଜେନ୍ସି ସତର୍କ କରାଇଥିଲେ । ଏପରିକି ମର ନହେଲେ ମାର ପଣ ନେଇ କାଶ୍ମୀରକୁ କିଛି ଆତଙ୍କବାଦୀ ପଶିଥିବା ସୂଚନା ମିଳିଛି । ୩୧ ଅକ୍ଟୋବରରେ ଜମ୍ମୁ-କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବା ପୂର୍ବରୁ ବଡ ଧରଣର ଆକ୍ରମଣ କରିବାକୁ ଆତଙ୍କବାଦୀ ମାନେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଗୁଇନ୍ଦା ସୂଚନା ମିଳିଛି । ଆଉ ଏହି ଗୁଇନ୍ଦା ସୂଚନାକୁ ଆଧାର କରି ଜମ୍ମୁ-କାଶ୍ମୀରର କିଛି ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି ।