୧୦୦ ଫୁଟ୍ ଗଭୀର ଗାତରେ ୮୦ ଘଣ୍ଟାର ଆଶା । ବୋରୱେଲର କିଟିମିଟି ଅନ୍ଧାର ଭିତରେ ଅଟକି ଗଲା କୁନି ପୁଅର କାନ୍ଦ, ତୁନି ପଡ଼ିଗଲା ତିରୁଚିପଲ୍ଲୀ ।

ଦିନ ଯେତିକି ବିତୁଥିଲା ଛାତିର ସ୍ପନ୍ଦନ ସେତିକି ବଢ଼ୁଥିଲା । ଆଉ ବୋରୱେଲ୍ ଭିତରେ ଭରସା ଖୋଜୁଥିବା କଅଁଳ କଢ଼ିର କୁଆଁ କୁଆଁ କାନ୍ଦ କମି କମି ଯାଉଥିଲା ।

16,635

କନକ ବ୍ୟୁରୋ: ଆଉ ଶୁଭିବନି ସେ କୁଆଁ କୁଆଁ କାନ୍ଦ କି ଶୁଭିବନି ସେ ଅଳି ଅର୍ଦ୍ଦଳି । କାରଣ ୧୦୦ ଫୁଟ୍ ଗଭୀର ବୋରୱେଲ ଭିତରେ ଫସିଥିବା ୨ ବର୍ଷର ସୁଜିତ୍ ସବୁଦିନ ପାଇଁ ଶୋଇପଡ଼ିଛି । ଦୀର୍ଘ ୪ ଦିନ ଧରି ପାତାଳି ପାଦରେ ଚିତ୍କାର କରୁଥିବା କୁନି ପୁଅର ପାଟି ତୁନି ହୋଇଯାଇଛି । ତାମିଲନାଡୁର ତିରୁଚିପଲ୍ଲୀର କୁନି ପୁଅ ଦୁନିଆକୁ ଭଲ କରି ଜାଣିବା ପୂର୍ବରୁ ଜୀବନ ଯୁଦ୍ଧରେ ହାରିଯାଇଛି । ଆଉ ଯେଉଁ ସୁଜିତର ସୁରକ୍ଷା ଆଶାରେ ସାରା ଦେଶ ପ୍ରାର୍ଥନା କରୁଥିଲା ସେ ଆଶା ଅପେକ୍ଷାରେ ଅନ୍ଧାର ଖେଳିଯାଇଛି ।

ଗତ ଶୁକ୍ରବାର ସନ୍ଧ୍ୟାରେ ତାମିଲନାଡୁର ତିରୁପଲ୍ଲୀରେ ହସଖୁସିରେ ଖେଳୁଥିଲା ସୁଜିତ୍ । ହେଲେ କାଳରୂପୀ ଯମ ବୋରୱେଲ୍ ବାଟ ଦେଇ ଅପେକ୍ଷା କରିଥିଲା । ଆଉ କିଛି ବୁଝିବା ପୂର୍ବରୁ ୨୫ପୁଟ୍ ବୋରୱେଲ୍ ଭିତରକୁ ଗଳିପଡ଼ିଥିଲା ୨ ବର୍ଷର ସୁଜିତ୍ ୱିଲସନ୍ । ଘର ଲୋକେ ଖୋଜାଖୋଜି କରିବା ପରେ ଜଣାପଡ଼ିଲା ପୁଅ ପରିତ୍ୟକ୍ତ ଗଭୀର ନଳକୂପ ଗାତକୁ ଖସି ପଡ଼ିଛି । ଏହାପରେ ସୁଜିତ୍ ର ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଲେ ସ୍ଥାନୀୟ ପ୍ରଶାସନ । ଆଉ ଆରମ୍ଭ ହୋଇଥିଲା ଅପରେସନ୍ ସୁଜିତ୍ ।

ସୁଜିତକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍ ସଜିତ୍ ଅଧିକ ତଳକୁ ଖସିପଡ଼ିଲା । ପାଖାପଖି ବୋରୱେଲର ୧୦୦ ଫୁଟ୍ ଗଭୀରକୁ ସୁଜିତ୍ ଖସିପଡ଼ିଲା । ଏହାପରେ ରାତି ଦିନ ଏକ କରି ସୁଜିତର ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲା ତାମିଲନାଡୁର ପୁରା ପ୍ରଶାସନ । ସୁଜିତ୍ କୁ ଅକ୍ସିଜେନ୍ ଦେବା ସହ ଡାକ୍ତରୀ ଟିମ୍ ରାତିଦିନ ଏକ କରିଦେଇଥିଲେ । ଦିନ ଯେତିକି ବିତୁଥିଲା ଛାତିର ସ୍ପନ୍ଦନ ସେତିକି ବଢ଼ୁଥିଲା । ଆଉ ବୋରୱେଲ୍ ଭିତରେ ଭରସା ଖୋଜୁଥିବା କଅଁଳ କଢ଼ିର କୁଆଁ କୁଆଁ କାନ୍ଦ କମି କମି ଯାଉଥିଲା । ହେଲେ ହଠାତ୍ ୮୦ ଘଣ୍ଟାର ପରେ ସବୁ ଆଶାରେ ଯବନିକା ପଡ଼ିଗଲା । ଦୁନିଆକୁ ଠିକ୍ ସେ ଜାଣିନଥିବା ସୁଜିତ ଚିରନିଦ୍ରାରେ ଶୋଇପଡ଼ିଲା ।

ବିଡ଼ମ୍ବନାର ବିଷୟ ହେଲାକି, ଯେଉଁ ଛାତିରୁ କ୍ଷୀର ଦେଇ ସୁିଜତ୍ ର ସୁନ୍ଦର ଭବିଷ୍ୟତର ସ୍ୱପ୍ନ ଦେଖିଥିଲା ମା’ , ସେ ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଯାଇଛି । ୧୦୦ ପୁଟ୍ ପାତାଳି ପାଦରେ ପଡ଼ିଥିବା ପୁଅର ଫେରିବା ବାଟକୁ ଚାହିଁଥିବା ମା’ ଆଖିରେ ଆଉ ନିଦ ଆସୁନି । ଦୀର୍ଘ ୪ ଦିନ ଧରି ଯେଉଁ ବୋରୱେଲକୁ ଚାହିଁ ପୁଅ ଅପେକ୍ଷାରେ ରହିଥିଲା ମା’ ସେ ଅପେକ୍ଷାରେ ଏବେ ଅନ୍ଧକାର ଖେଳିଯାଇଛି । ଦୀର୍ଘ ୮୦ ଘଣ୍ଟା ପରେ ଉଦ୍ଧାର ହୋଇଥିବା ପୁଅର ମୃତ ଦେହକୁ ଧରି ଆଖିରୁ ଲୁହ ଗଡ଼ାଉଛି ହତଭାଗିନୀ ମା । ୨୫ ତାରିଖରୁ ୨୯ ତାରିଖ ୮୦ ଘଣ୍ଟା ଧରି ବୋରୱେଲ ଭିତରେ ଜୀବନ ସହ ଯୁଦ୍ଧ କରୁଥିବା ସୁଜିତ୍ ଶେଷରେ ସମସ୍ତଙ୍କୁ ପର କରିଦେଇ ଚାଲିଯାଇଛି । ଆଉ ତାମିଲନାଡୁର ତୁନି ପଡ଼ିଯାଇଥିବା ସୁଜିତ୍ ପାଇଁ ସାରାଦେଶ ସ୍ତବ୍ଧ ହୋଇପଡ଼ିଛି ।