ସ୍ୱଚ୍ଛତା ଅଭିଯାନ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ୍ : କୋରାପୁଟ ଦଶମନ୍ତପୁର ବ୍ଳକର ୧୬ଟି ପଚାଂୟତବାସୀଙ୍କ ଠାରୁ ଠକେଇ କରି ଏନଜିଓ ଫେରାର

27

କନକ ବ୍ୟୁରୋ :  ସ୍ୱଚ୍ଛତା ଭାରତ ଅଭିଯାନ ନାଁରେ ହରିଲୁଟ୍ । ସ୍ୱଚ୍ଛତା କାର୍ଡ଼ ନାଁରେ ଏନଜିଓ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଳା ଦଶମନ୍ତପୁର ବ୍ଳକର ୧୬ଟି ପଚାଂୟତରେ ପ୍ରତି ଘରେ ଘର ସଂଖ୍ୟା ପ୍ଲେଟ ଲଗାଇବା ପାଇଁ ପ୍ରତି ଘରୁ ଆଦାୟ କରାଯାଇଛି ୨୦ଟଙ୍କା ଲେଖାଏଁ । ଏଥିପାଇଁ ବ୍ଳକର ବିଡ଼ିଓ ସୁକାନ୍ତ କୁମାର ମାଝୀଙ୍କ ପରାମର୍ଶ କ୍ରମେ ଏକ ଏନଜିଓକୁ ମିଳିଥିଲା ଅନୁମତି । ବିଡିଓଙ୍କ ନିର୍ଦ୍ଦେଶ ପରେ ବ୍ଲକର ପ୍ରାୟ ୨୨ହଜାର ଘରୁ ଅଙ୍ଗନୱାଡ଼ି କର୍ମୀ ଆଦାୟ କରିଛନ୍ତି ୬ ଲକ୍ଷରୁ ଅଧିକ ଟଙ୍କା । ଏବଂ ଗ୍ରାମବାସୀଙ୍କୁ ଏକ ସ୍ୱଚ୍ଛତ ଭାରତ ଅଭିଯାନ କାର୍ଡ଼ ଦିଆଯାଇଛି । ଏହି କାର୍ଡ ଦେଖାଇ ରାସନ ଓ ବିପିଏଲ କାର୍ଡ ବନାଇବା ସହ ଭୋଟର ଲିଷ୍ଟ ସୁଧାରରେ ଆବଶ୍ୟକ ବୋଲି କୁହାଯାଇଥିଲା । ତେବେ ଏହି କାର୍ଡରୁ କୌଣସି ଫାଇଦା ମିଳୁନାହିଁ ।

ବିଡ଼ିଓଙ୍କ ଚିଠି ଅନୁସାରେ ବିହାରର ରୋହତାସ ଜିଲ୍ଲାର ରାମ ଆଶିସ ରାମଙ୍କୁ ସ୍ୱଚ୍ଛତା ଅଭିଯାନରେ କାମ କରିବା ପାଇଁ ପ୍ରତି ଘରୁ ୨୦ ଟଙ୍କା ଆଣିବା ଲାଗି ଅନୁମତି ଦିଆଯାଇଛି । ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ୱାରା ବିଡ଼ିଓଙ୍କ ନିର୍ଦ୍ଦେଶରେ ଟଙ୍କା ଆଦାୟ କରାଯାଇଥିଲା । ଏବଂ ୨୦ ଟଙ୍କାରୁ ୪ ଟଙ୍କା ନିଜେ ଅଙ୍ଗନୱାଡି କର୍ମୀ ରଖିବେ ବୋଲି ଏନଜିଓ କହିଥିବା ଅଙ୍ଗନୱାଡି କର୍ମୀ କହିଛନ୍ତି । ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ଟଙ୍କା ଆଦାୟ କରାଯାଇଥିବା ବେଳେ ଗାଁଲୋକେ ଏବେ ଅଙ୍ଗନୱାଡି କର୍ମୀଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି । ତେବେ ସମ୍ପୃକ୍ତ ଏନଜିଓ ଫେରାର ହୋଇଯାଇଥିବା କହିଛନ୍ତି ସମାଜ ମଙ୍ଗଳ ଅଧିକାରୀ ।